ପତ୍ନୀର ଚରିତ୍ରକୁ ସନ୍ଦେହ କରି ସଂପର୍କୀୟ ଶାଳକଙ୍କୁ ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଧିନରେ ଜଣେ ଯୁବକ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସଂପର୍କୀୟ ଶାଳକଙ୍କୁ ହତ୍ୟା କରି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଛି। ହାତିବାରୀ ଗାଁରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରତନ ଗୌଡ଼ (୩୦)। ଅଭିଯୁକ୍ତର ନାମ ଡମ୍ବରୁ ଗୌଡ଼ (୨୦)।

ଝରିଗାଁ ପୁଲିସ କହିଛି ହାତିବାରୀ ଗାଁର ଡମ୍ବରୁ ଗତ ଦଶହରା ସମୟରେ ସେହି ଗାଁର ଜଣେ ୧୪ ବର୍ଷୀୟା ନାବାଳିକାକୁ ପ୍ରେମ ବିବାହ କରିଥିଲା। ବିବାହର କିଛି ମାସ ପରେ ଡମ୍ବରୁ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲା। ଫଳରେ ଉଭୟ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବହୁବାର ଗଣ୍ଡଗୋଳ ହୋଇଆସୁଥିଲା। ଏ ନେଇ ଗାଁରେ ସମାଧାନ ପାଇଁ ଏକାଧିକ ଥର ବୈଠକ ବସିଥିଲା। ତଥାପି ସ୍ତ୍ରୀ ଉପରୁ ଡମ୍ବୁରୁର ସନ୍ଦେହ ଦୂର ହୋଇ ନଥିଲା।

ଗତକାଲି ସକାଳୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗଣ୍ଡଗୋଳ ହୋଇଥିଲା। ଫଳରେ ସ୍ତ୍ରୀ ନିଜ ଭଉଣୀ ଘରକୁ ଚାଲିଯାଇଥିଲା। ଡମ୍ବରୁ ସ୍ତ୍ରୀର ମାମୁଁ ପୁଅ (ସଂପର୍କୀୟ ଶାଳକ) କାଳେ ନେଇ କୁଆଡେ ଲୁଚାଇ ରଖିଥିବା ସନ୍ଦେହ କରିଥିଲା। ଡମ୍ବରୁ ନିଜ ସ୍ତ୍ରୀକୁ ନପାଇ ପୂର୍ବାହ୍ନରେ ଗାଁଠାରୁ ୨୦୦ ମିଟର ଦୂର ଏକ ନାଳ ନିକଟକୁ ଗାଧୋଇବା ପାଇଁ ଯାଇଥିଲା। ସେହି ନାଳ ନିକଟରେ ଥିବା ଘାସ ବୁଦାରେ ଡମ୍ବରୁର ମାମୁ ଶ୍ୱଶୁରଙ୍କ ପୁଅ ରତନ ଗୌଡ ଘାସରେ ବସିଥିବା ଗୁଣ୍ଡ୍ରି ଚଢେଇ ଧରିବା ପାଇଁ ଜାଲ ପକାଇବା ସମୟରେ ଡମ୍ବରୁ ନିଜର ରାଗ ସୁଝାଇବା ପାଇଁ ଯାଇ ସେ ଧରିଥିବା ଟାଙ୍ଗିଆରେ ରତନର ବେକକୁ ଚୋଟ ପକାଇଥିଲା। ଘଟଣାସ୍ଥଳରେ ହିଁ ରତନର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା। ଶେଷରେ ଡମ୍ବରୁ ରାତିରେ ଥାନାରେ ଆତ୍ମସମର୍ପଣ କରିଥିଲା। ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଝରିଗାଁ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର