ପରକୀୟା ପ୍ରୀତି ସନ୍ଦେହ: ଗାଁ ଦାଣ୍ଡରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ରକ୍ତ ଲଗା ଟାଙ୍ଗିଆ ଜବତ

ନାକଟିଦେଉଳ/ସମ୍ବଲପୁର: ସ୍ତ୍ରୀ ସହ ଅନୈତିକ ସମ୍ପର୍କ ସନ୍ଦେହ‌ରେ ରବିବାର ରାତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଖନ୍ଦିବାହାଲ ଗାଁ ଦାଣ୍ଡରେ ସେହି ଗ୍ରାମର ଭୀମସେନ ସ୍ବାଇଁ(୫୨)ଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ସମୟରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସେପଟେ, ଅଭିଯୁକ୍ତ ସେହି ଗ୍ରାମର ଗୌତମ ମାଝୀ(୪୦)କୁ ପୁଲିସ୍‌ ଅଟକ ରଖିଛି ଓ ରକ୍ତ ଲଗା ଟାଙ୍ଗିଆକୁ ମଧ୍ୟ ଜବତ କରିଛି। ସୋମବାର ସକାଳୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଶବ ପଞ୍ଚନାମା କରାଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଖନ୍ଦିବାହାଲ ଗ୍ରାମର ଗୌତମର ପତ୍ନୀ ସହ ଭୀମସେନଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଆସୁଥିଲା। ଏହି ଘଟଣାକୁ କେନ୍ଦ୍ର କରି ୨ ଦିନ ତଳେ ଗୌତମ ଓ ଭୀମସେନ ମଧ୍ୟରେ ଝଗଡ଼ା ବି ହୋଇଥିଲା। ଯେଉଁଥିରେ ଭୀମସେନ ଉତ୍ତ୍ୟକ୍ତ ହୋଇ ଗୌତମକୁ ମାଡ଼ ମଧ୍ୟ ମାରିଥିବା ଗ୍ରାମବାସୀ କହିଛନ୍ତି। ତେବେ ରବିବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ଭୀମସେନ ବାଡ଼ିରୁ ତୋଳିଥିବା ଲଙ୍କା ଆଣି ଦାଣ୍ଡରେ ଶୁଖାଉଥିବା ସମୟରେ ‌ଗୌତମ ଘଟଣାସ୍ଥଳରେ ପହଞ୍ଚି ଏକ ଟାଙ୍ଗିଆରେ ଅତର୍କିତ ଭାବେ ପଛରୁ ଆକ୍ରମଣ କରିଥିଲା। ଏହି ଘଟଣାରେ ଭୀମସେନଙ୍କ ମୁଣ୍ଡ, ବେକ ଓ ହାତରେ ଆଘାତ ମଧ୍ୟ ଲାଗିଥିଲା। ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ଭୀମସେନଙ୍କ ମୃତ୍ୟୁ ହୋଇଯାଇଥିଲା।

ତେବେ ରକ୍ତଲଗା ଟାଙ୍ଗିଆ ନେଇ ଗୌତମ ଫେରିଯାଉଥିବା ସମୟରେ ଗ୍ରାମର କିଛି ଲୋକେ ତାଙ୍କୁ କ’ଣ ହୋଇଛି ବୋଲି ପଚାରିବା ପରେ ଟାଙ୍ଗିଆରେ ଭୀମସେନକୁ ହତ୍ୟା କରିଦେଇଥିବା ନେଇ ଗୌତମ କହିଥିଲା। ଏକଥା ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରକୃତରେ ଭୀମସେନଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ଦେଖିବାକୁ ପାଇ ପୁଲିସ୍‌କୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର