ପିପିଲି : ମାଲିକ ଶୋଇଥିବାବେଳେ ମୁଣ୍ତକୁ ହାତୁଡ଼ିରେ ପିଟି ହତ୍ୟା କରିଛି କର୍ମଚାରୀ। ଏଭଳି ନାରକୀୟ ଘଟଣା ଘଟିଛି ସାତଶଙ୍ଖ ବଜାର ଅଞ୍ଚଳରେ।
ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଗୌଡ଼ପୁଟ ଗାଁର ଦୀପକ ପାଟ୍ଟସାହାଣୀ(୩୫) ଦୀର୍ଘ ସାତ ଆଠ ମାସ ହେବ ସାତଶଙ୍ଖ ବଜାରରେ ଘର ଭଡ଼ା ନେଇ ମେସିନ୍ ଦ୍ବାରା ଖଲି ପ୍ଲେଟ୍, ଅଗରବତୀ ଆଦି ପ୍ରସ୍ତୁତ କରି ବ୍ୟବସାୟ କରୁଥିଲେ। କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ଅଞ୍ଚଳର ହିରଣ୍ୟ ସାହୁ(୬୫) ଦୀପକଙ୍କ ପାଖରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲା। ବ୍ୟବସାୟ ପ୍ରତିଷ୍ଠାନର ସମସ୍ତ କାର୍ଯ୍ୟ ହିରଣ୍ୟ ବୁଝାସୁଝା କରୁଥିଲା। ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା ବୋଲି ସ୍ଥାନୀୟ ଲୋକଙ୍କ କହିବା କଥା। ଆଜି ଅପରାହ୍ଣରେ ଦୀପକ ଉକ୍ତ ଭଡ଼ା ଘରେ ଶୋଇଥିବା ସମୟରେ ହିରଣ୍ୟ ଏକ ହାତୁଡ଼ିରେ ମାଲିକ ଦୀପକଙ୍କ ମୁଣ୍ତକୁ ଶକ୍ତ ପ୍ରହାର ଦେବାରୁ ଘଟଣାସ୍ଥଳରେ ଦୀପକଙ୍କର ମୃତ୍ୟୁ ହୋଇଥିବା ପୁଲିସ ସୂତ୍ରରୁ ଜଣାଯାଇଛି। ହତ୍ୟାରେ ବ୍ୟବହୃତ ହାତୁଡ଼ିକୁ ପୁଲିସ ଜବତ କରିଛି। ଅଭିଯୁକ୍ତ ହିରଣ୍ୟ ହତ୍ୟା କରିବା ପରେ ସାତଶଙ୍ଖ ଫାଣ୍ତିରେ ଆତ୍ମସମର୍ପଣ କରିଥିବା କୁହାଯାଉଥିବାବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ଦେଇଛି। ପରେ ପୁରୀରୁ ସାଇଣ୍ଟ୍ଫିକ ଟିମ୍ ଆସି ତଦନ୍ତ କରି ଫେରିଛନ୍ତି। ମୃତ ଦୀପକଙ୍କ ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ପୁଲିସ କହିଛି। ପିପିଲି ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ହତ୍ୟାକାଣ୍ତର କାରଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/murder.jpg)