ରକ୍ତରେ ଭିଜିଲା ରଙ୍ଗମାଟିଆ: ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ହତ୍ୟା

ଚନ୍ଦ୍ରଶେଖରପୁର: କିଛି ଦିନର ନିରବତା ପରେ ରାଜଧାନୀରେ ଘଟିଛି ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ। ରକ୍ତରେ ଭିଜିଛି ରଙ୍ଗାମାଟିଆ ଗାଁ ଦାଣ୍ଡ। ଆଜି ରାତି ପ୍ରାୟ ୯ଟାରେ ଗାଁର ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ହେଲେ, ରଙ୍ଗମାଟିଆ ତଳସାହିର ଚକ୍ରଧର ବେ‌ହେରାଙ୍କ ପୁଅ ଦୀପକ କୁମାର ବେହେରା ଓରଫ ଲଣ୍ଡା (୨୧)। ୮ ଜଣ ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ନିଷ୍କ୍ରିୟତାରୁ ଏଭଳି ହତ୍ୟାକାଣ୍ଡ ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ୩ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

ଜମି ଦଲାଲି, ପୂର୍ବ ଶତ୍ରୁତା ସନ୍ଦେହ
ଉତ୍ତେଜନା, ୩ ପ୍ଲାଟୁନ୍‌ ଫୋର୍ସ ମୁତୟନ

ସୂଚନା ଅନୁଯାୟୀ, ରଙ୍ଗମାଟିଆ ତଳସାହି ଶିବମନ୍ଦିର ଛକରେ ଚକ୍ରଧର ବେହେରାଙ୍କ ଜଳଖିଆ ଦୋକାନ ରହିଛି। ଆଜି ରାତି ପ୍ରାୟ ୯ଟା ବେଳେ ଲଣ୍ଡା ବାପାଙ୍କ ଦୋକାନରେ ବସିଥିବାବେଳେ ୪ଟି ବାଇକ୍‌ରେ ୮ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ଲଣ୍ଡାଙ୍କୁ ଡାକି କଥା ହେବା ବେଳେ ଅତର୍କିତ ଆକ୍ରମଣ କରିଥିଲେ। ଯୁବକମାନେ ଚାପଡ଼ରେ ଲଣ୍ଡାଙ୍କ ମୁଣ୍ଡକୁ ଚୋଟ ପରେ ଚୋଟ ପକାଇବା ସହ ଖଣ୍ଡାରେ ପେଟକୁ ଭୁସି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଲଣ୍ଡା ନିଶ୍ଚଳ ହୋଇ ପଡ଼ିଯାଇଥିଲେ। ତାଙ୍କ କ୍ଷତରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହା ଦେଖି ସ୍ଥାନୀୟ ଲୋକ ମଞ୍ଚେଶ୍ବର ଥାନା ପୁଲିସ୍‌କୁ ସୂଚନା ଦେବା ସହ ଏକ ଆମ୍ବୁଲାନସ୍‌ରେ ଲଣ୍ଡାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ପଠାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷେ ଖବର ପାଇ ମଞ୍ଚେଶ୍ବର ଥାନା ଆଇଆଇସି ଯତୀନ୍ଦ୍ର ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ ମଞ୍ଚେଶ୍ବର ଥାନା ପକ୍ଷରୁ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ, ଲଣ୍ଡା ଜଣେ ଜମି ଦଲାଲ। କିଛି ଦିନ ତଳେ ଏକ ଜମିକୁ ବିକ୍ରି କରିବା ନେଇ କେତେକ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ସମ୍ପୃକ୍ତ ଯୁବକମାନେ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଅପରପକ୍ଷରେ ୨୦/୨୫ ଦିନ ପୂର୍ବେ ଲଣ୍ଡା ତାଙ୍କ ସାହିର ଦୁଇଜଣ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା। ସେତେବେଳେ ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା। ମାତ୍ର ପୁଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସି ପଡ଼ିଥିଲା। ଫଳରେ ଆଜି ଏଭଳି ଏକ ବଡ଼ ଅଘଟଣ ଘଟିଗଲା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ଥାନା ଅଧିକାରୀ ଶ୍ରୀ ସେଠୀ କହିଛନ୍ତି, ଆମେ ପୂର୍ବରୁ ଅଭିଯୋଗ ପାଇଥିଲୁ, ମାତ୍ର ଅଭିଯୁକ୍ତମାନେ ଫେରାର୍‌ ଥିଲେ। ହଠାତ୍‌ ଏଭଳି ଘଟଣା ଘଟିବ ବୋଲି ଆଶା କରିନଥିଲୁ। ଜମି ଦଲାଲି ଓ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ବୋଲି ଶ୍ରୀ ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର