ରାୟଗଡ଼ା: ରାୟଗଡ଼ା ସହରର ଏକ ନିର୍ମାଣଧୀନ ଘରେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ହୃଷିକେଶ ବେହେରା (୩୨) ଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। କାଠପଟାରେ ହୃଷିକେଶଙ୍କ ମୁଣ୍ଡକୁ ପିଟି ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ବାର୍ଡ ଜରିଆରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ନିକଟରୁ କାଠପଟା, ଆଧାରକାର୍ଡ, ଚଷମା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପୁଲିସ୍ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
କସ୍ତୁରୀ ନଗର ପଞ୍ଚମ ଲାଇନରେ ପି. ଚନ୍ଦ୍ରଶେଖର ରାଜୁ ନୂତନ ଘର ନିର୍ମାଣ କରୁଥିବା ବେଳେ ରାଜମିସ୍ତ୍ରୀ ଭାବେ ନିୟୋଜିତ ହୋଇଥିଲେ ହୃଷିକେଶ। ଗତ ୩ ମାସ ହେଲା ହୃଷିକେଶ ଘରକୁ ନ ଯାଇ ନିର୍ମାଣଧୀନ ଘରେ ହିଁ ରହୁଥିଲେ। ଗତକାଲି ସଂଧ୍ୟାରେ କାମ ସରିବା ପରେ ଅନ୍ୟ ଶ୍ରମିମାନେ ଘରକୁ ଫେରି ଯାଇଥିଲେ। କିନ୍ତୁ ସବୁ ଦିନ ପରି ହୃଷିକେଶ ନିର୍ମାଣଧୀନ ଘରେ ରହିଥିଲେ। ସଂଧ୍ୟା ୭ଟାରେ କିଛି ଲୋକ ନିର୍ମାଣଧୀନ ଘରେ ପହଞ୍ଚି ହୃଷିକେଶଙ୍କ ପାଟିତୁଣ୍ଡ କରିଥିଲେ। ଉଭୟଙ୍କ ମଧ୍ୟରେ ବଚସା ପରେ ଗୋଟିଏ ଗୋଷ୍ଠୀ ଫେରି ଯାଇଥିଲେ। ତେବେ ବଚସାକୁ କେନ୍ଦ୍ର କରି ହିଁ ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ହୃଷିକେଶଙ୍କୁ ହତ୍ୟା କରିଥିବା ପୁଲିସ୍ ସନ୍ଦେହ କରୁଛି। କାଠପଟାରେ ହୃଷିକେଷଙ୍କ ମୁଣ୍ଡକୁ ଦୁର୍ବୃତ୍ତମାନେ ପିଟିବା ପରେ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ନେଇ ଘରର ଏକ କୋଣରେ ପକାଇ ଦେଇଥିଲେ। ସକାଳେ ଅନ୍ୟ ଶ୍ରମିକମାନେ କାମକୁ ଆସିବା ପରେ ହୃଷିକେଶଙ୍କ ମୃତଦେହ ଦେଖି ଘର ମାଲିକକୁ ଫୋନ୍ କରିଥିଲେ।
ଘର ମାଲିକ ଏ ସଂପର୍କରେ ପୁଲିସକୁ ଅବଗତ କରିବା ପରେ ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ, ଏସଆଇ ଶିବ ଶଙ୍କର ସାହୁ ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ବାର୍ଡ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଡଗ୍ ସ୍କ୍ବାର୍ଡ ଘଟଣାସ୍ଥଳରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ଯିବା ପରେ ଫେରି ଆସିଥିଲା। ପୁଲିସ୍ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ କସ୍ତୁରୀ ନଗର ପଞ୍ଚମ ଲାଇନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ହୃଷିକେଶଙ୍କ ମୃତ୍ୟୁ ଖବର ପାଇ ସ୍ତ୍ରୀ, ୩ ଝିଅ ଓ ମାଆ ଘଟଣାସ୍ଥଳରେ ପହଞ୍ଚିବା ପରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ହୃଷିକେଶ ନିର୍ମାଣଧୀନ ଘରେ ରହୁଥିବା ବେଳେ ସ୍ତ୍ରୀ, ଝିଅ ଓ ମାଆ ଜେକେପୁରରେ ଘରଭଡ଼ା ନେଇ ରହୁଥିଲେ। ହୃଷିକେଶଙ୍କ ସ୍ତ୍ରୀ ମାଛ ଦୋକାନ କରି ପରିବାର ଗୁଜୁରାଣ କରୁଥିବା ପୁଲିସକୁ କହିଛନ୍ତି। ହୃଷିକେଶଙ୍କ ମୃତ୍ୟୁ ପରେ ୩ ଝିଅଙ୍କୁ କେମିତି ମଣିଷ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି ସ୍ତ୍ରୀ। ହତ୍ୟାକାଣ୍ଡରେ ସଂପୃକ୍ତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ପ୍ରଧାନ।