କପଡା ଦୋକାନରୁ ସନ୍ଦେହଜନକ ଭାବେ ଯୁବତୀଙ୍କ ଶବ ଉଦ୍ଧାର

ତଦନ୍ତ ପାଇଁ ଦୁଇ ଥାନା ଅଧିକାରୀଙ୍କୁ ଦାୟିତ୍ବ

ରାଉରକେଲା: ପାୱାର ହାଉସ୍‌ ରୋଡ ବଙ୍ଗାଳିପଡାସ୍ଥ କପଡା ଦୋକାନରୁ ସନ୍ଦେହଜନକ ଭାବେ ଯୁବତୀଙ୍କ ଶବ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ହେଲେ ଉଦିତନଗର (ସିଟି ସୁପରବଜାର)ର ଖୁସ୍‌ବୁ ରାଉତ (୧୯)। ମୃତଙ୍କ ମା’ ଓ ତାଙ୍କ ପରିବାର ଖୁସ୍‌ବୁକୁ କପଡ଼ା ବ୍ୟବସାୟୀ ଓ ତାଙ୍କ ପୁଅ ମିଶି ହତ୍ୟା କରିବା ପରେ ଟାଙ୍ଗି ଦେଇଥିବା ଉଦିତନଗର ଥାନାରେ ଲିଖିତ ଏତଲା ଦେଇଛନ୍ତି। ଲିଖିତ ଅଭିଯୋଗ ଆଧାରରେ ଉଦିତନଗର ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଅତିରିକ୍ତ ଏସ୍‌ପି ବିକ୍ରମ କେଶରୀ ଭୋଇଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ ହୋଇଛି। ଟିମ୍‌ରେ ଉଦିତନଗର ଓ ପ୍ଲାଣ୍ଟସାଇଟ୍‌ ଥାନା ଅଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ଆସିବା ପରେ ଖୁସ୍‌ବକୁ ହତ୍ୟା କରାଯାଇଛି ନା, ସେ ନିଜେ ଆତ୍ମହତ୍ୟା କରିଛନ୍ତି ଜଣାପଡିବ ବୋଲି ଅତିରିକ୍ତ ଏସ୍‌ପି ଶ୍ରୀ ଭୋଇ କହିଛନ୍ତି। ପାୱାର ହାଉସ୍‌ରୋଡରେ କମଲ ଜୈନଙ୍କର ଏକ କପଡା ଦୋକାନ ରହିଛି। ଏଥିସହ ତାଙ୍କର ବଙ୍ଗାଳୀପଡାରେ କପଡା ଦୋକାନର ଗୋଦାମ ରହିଛି। ଦୋକାନରେ ଖୁସ୍‌ବୁ କାମ କରନ୍ତି। ଗତକାଲି ରାତିରେ କପଡା ଗୋଦାମରୁ ଖୁସ୍‌ବୁଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। କପଡା ବ୍ୟବସାୟୀ ଓ ତାଙ୍କ ପୁଅ ଖୁସ୍‌ବୁଙ୍କ ଆତ୍ମହତ୍ୟା ସଂକ୍ରାନ୍ତରେ କାହାକୁ କିଛି ନ କହି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଦେଇଥିଲେ।

ପରିବାର ଲୋକ ଖୁସ୍‌ବୁଙ୍କ ଆତ୍ମହତ୍ୟା ସଂକ୍ରାନ୍ତରେ ଜାଣିବା ପରେ ମା’ ଉଦିତନଗର ଥାନାରେ ଲିଖିତ ଏତଲା ଦେଇଥିଲେ। ଆଜି ସକାଳେ ଖୁସ୍‌ବୁଙ୍କ ଉଦିତନଗର ଥାନାରେ ପୁଣି ଦ୍ବିତୀୟ ଏଲତା ଦେଇଥିଲେ। ତାଙ୍କ ଝିଅକୁ କପଡା ବ୍ୟବସାୟୀ କମଳ ଜୈନ ଓ ତାଙ୍କ ପୁଅ ମିଶି ହତ୍ୟା କରିବା ପରେ ଗୋଦାମରେ ଟାଙ୍କି ଦେଇଛନ୍ତି ବୋଲି ଏତଲାରେ ଦର୍ଶାଇଥିଲେ। ସେପଟେ ଅତିରିକ୍ତ ଏସ୍‌ପି ଶ୍ରୀ ଭୋଇ କହିଛନ୍ତି, ମୃତ ଯୁବତୀ ମା’ଙ୍କ ଲିଖିତ ଏତଲା ଅନୁଯାୟୀ ଉଦିତନଗର ଥାନାରେ ହତ୍ୟା ମାମଲା ରୁଜୁ ‌ହୋଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି। ମୋବାଇଲକୁ ମଧ୍ୟ ଜବତ କରାଯାଇଛି। ମୋବାଇଲରେ କାହା କାହା ସହିତ ଚାଟ୍‌ କରାଯାଇଛି। ତା’କୁ ମଧ୍ୟ ଯାଞ୍ଚ କରାଯାଉଛି। ଶବ ବ୍ୟବଚ୍ଛେଦ ଓ ତଦନ୍ତ ରିପୋର୍ଟ ମିଳିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଭୋଇ କହିଛନ୍ତି।

ସମ୍ବନ୍ଧିତ ଖବର