ଗଡ଼ପୋଷ : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ଗୋବିନ୍ଦପୁର ଥାନାର ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ମହୁଲମୁଣ୍ଡା ଗ୍ରାମରେ ଶନିବାର ଜଣେ ଯୁବକ ନିଜ କକାଙ୍କୁ ଟାଙ୍ଗିଆରେ ହାଣି ଓ ପଥରରେ ଛେଚି ହତ୍ୟା କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ପୁଲିସ୍ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି। ମୃତକ ହେଲେ ଆଗାସ୍ତୁସ ବାର୍ଲା (୬୫)। ଅଟକ ଥିବା ଅଭିଯୁକ୍ତ ହେଲା ତାଙ୍କ ପୁତୁରା ପ୍ରଫୁଲ୍ଲା ବାର୍ଲା।
ଏତଲାକାରୀ ବିନୟ ତିର୍କୀଙ୍କ ଅଭିଯୋଗ ଅନୁଯାୟୀ ଆଗାସ୍ତୁସ ଶନିବାର ଭୋରରେ ମହୁଲ ଗୋଟାଇବାକୁ ଘରଠାରୁ କିଛି ଦୂରରେ ଥିବା ଜମିକୁ ଯାଇଥିଲେ। ସକାଳ ସାଢ଼େ ୭ଟା ବେଳେ ଗଛ ପାଖରେ ଆଗାସ୍ତୁସଙ୍କ ପୁତୁରା ପ୍ରଫୁଲ୍ଲ ପୂର୍ବ ଶତ୍ରୁତା ଓ ଈର୍ଷାରେ ତାଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ଟାଙ୍ଗିଆରେ ତାଙ୍କ ମୁଣ୍ଡରେ ଆଘାତ କଲାପରେ ଏକ ପଥରରେ ଛେଚି ଦେଇଥିଲା। ଆଗାସ୍ତୁସ ପଡ଼ିଯିବା ପରେ ପ୍ରଫୁଲ୍ଲ ସେଠାରୁ ଫେରାର ହୋଇଯାଇଥିଲା। ଖବରପାଇ ପରିବାର ଲୋକ ଓ ଗ୍ରାମବାସୀ ତୁରନ୍ତ ଆଗାସ୍ତୁସଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ମେଡିକାଲକୁ ନେଇଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବରପାଇ ଗୋବିନ୍ଦପୁର ଥାନାଧିକାରୀ ପ୍ରତାପ ରଣା ଓ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସମ୍ବଲପୁରରୁ ଫରେନ୍ସିକ୍ ଟିମ୍ ପହଞ୍ଚି ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, ପଥର, ରକ୍ତଲଗା ମାଟି ଓ ହଳେ ଚପଲ ଜବତ କରିଛନ୍ତି। ପୁଲିସ୍ ହତ୍ୟାକାରୀ ପ୍ରଫୁଲ୍ଲକୁ ଥାନାରେ ଅଟକ ରଖିଥିବା ବେଳେ ବ୍ୟବଚ୍ଛେଦ ପ୍ରକ୍ରିୟା ପାଇଁ ଥାନାଧିକାରୀ ଶ୍ରୀ ରଣା ଓ ଏସ୍ଆଇ ଥମାସ କେର୍କେଟା ରାଉରକେଲା ଯାଇଛନ୍ତି। ରବିବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି। ଏ ନେଇ ଗୋବିନ୍ଦପୁର ଥାନାରେ କେସ୍ ନଂ. ୨୯/୨୧, ଆଇପିସିର ଦଫା ୩୦୨ରେ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/mur.jpg)