ସମ୍ବଲପୁର : ସମ୍ବଲପୁର ଧନୁପାଲି ଥାନା ସୁନାପାଲି ଅଞ୍ଚଳରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଜଣେ ବିଧବା ମହିଳା ଓ ତାଙ୍କ ଦୁଇ ପୁଅଝିଅଙ୍କୁ ବୀଭତ୍ସ ଭାବେ ହତ୍ୟା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହତ୍ୟାକାରୀ ତିନି ଶବକୁ ଶୋଇବାଘରେ ଘୋଡ଼ାଇବା ପରେ ଘରେ ତାଲା ପକାଇ ଫେରାର୍ ହୋଇଯାଇଛି। ମୃତକମାନେ ହେଲେ ସାଜିଆ ପରବିନ (୩୨ ବର୍ଷ) ଏବଂ ତାଙ୍କର ଝିଅ ହୁମାଇରା ତାଏବା (୭ ବର୍ଷ) ଓ ପୁଅ ଅବଦୁଲ ରେହମାନ(୯ ବର୍ଷ)। ହତ୍ୟାକାଣ୍ଡର ପ୍ରାୟ ୪/୫ ଦିନ ପରେ ଘଟଣା ସାମ୍ନାକୁ ଆସିଛି। ପୁଲିସ ଉକ୍ତ ଘରକୁ ସିଲ୍‌ କରିବା ସହ ତଦନ୍ତ ଆରମ୍ଭ କରଛି।

Advertisment

publive-image

ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ସମ୍ବଲପୁର ସୁନାପାଲିରେ ରହୁଥିବା ସାଜିଆ ପରୱିନଙ୍କ ସ୍ବାମୀଙ୍କର ଏକ ବର୍ଷ ତଳେ ପରଲୋକ ହୋଇଯାଇଥିଲା। ଜଟିବୁଟି ବ୍ୟବସାୟ କରୁଥିବା ତାଙ୍କ ସ୍ବାମୀଙ୍କ ପରଲୋକ ପରେ ସାଜିଆ ତାଙ୍କ ଦୁଇ ପୁଅଝିଅଙ୍କ ସହିତ ଏକାକୀ ରହୁଥିଲେ। ଉପର ମହଲାରେ ସେମାନେ ରହୁଥିବା ବେଳେ ତଳମହଲାରେ ସଲମାନ ଅହମଦ(୩୫ ବର୍ଷ) ନାମକ ଜଣେ ଯୁବକଙ୍କୁ ଘରଭଡ଼ା ଦେଇଥିଲେ। ସଲମାନ ଅହମଦ ଉତ୍ତରପ୍ରଦେଶର ମୂଳନିବାସୀ ହୋଇଥିବା ବେଳେ ଭବାନୀପାଟଣାରେ ତାଙ୍କ ପରିବାର ଗତ କିଛି ବର୍ଷ ହେଲା ରହୁଥିବା କହାଯାଉଛି। ସଲମାନ କିଛି ଶ୍ରମିକଙ୍କୁ ରଖି ସମ୍ବଲପୁରରେ ଘର ସିଲିଂ ବ୍ୟବସାୟ କରୁଥିବା ଜଣାପଡ଼ିଛି। ସାଜିଆଙ୍କ ବାପଘର ଚକ୍ରଧରପୁର ଅଂଚଳରେ।

publive-image

ସମ୍ବଲପୁରରେ କର୍ଫ୍ୟୁ ସମୟରେ ସାଜିଆ ଏବଂ ତାଙ୍କ ପୁଅଝିଅଙ୍କୁ ସଲମାନ ଅହମଦ ଚକ୍ରଧରପୁରକୁ ଛାଡ଼ିବାକୁ ମଧ୍ୟ ଯାଇଥିଲେ। ସଲମନ ଅହମଦ ସେଠାରେ ଦୁଇଦିନ ରହିବା ପରେ ଫେରି ଆସିଥିଲେ। ସମ୍ବଲପୁର ସ୍ଥିତି ସ୍ବାଭାବିକ ହେବା ପରେ ସାଜିଆ ନିଜ ପୁଅଝିଅଙ୍କୁ ନେଇ ପ୍ରାୟ ୧୦/୧୫ ଦିନ ତଳେ ସମ୍ବଲପୁର ଫେରିଥିଲେ। ‌ଗତ ୪/୫ ଦିନ ତଳେ ତାଙ୍କ ମା ସାଜିଆଙ୍କୁ ଫୋନ୍ କରିଥିଲେ। ମାତ୍ର ସାଜିଆ କଲ୍ ଉଠାଇନଥିଲେ। ପରେ ମୋବାଇଲ୍‌ ଫୋନ୍ ସ୍ବିଚ୍‌ ଅଫ୍‌ ଦେଖାଇଥିଲା। ସନ୍ଦେହ ହେବାରୁ ତାଙ୍କ ମା ଓ ଭାଇ ଶନିବାର ଅପରାହ୍‌ଣରେ ସମ୍ବଲପୁରରେ ପହଂଚି ଥିଲେ। ଘରେ ତାଲା ଝୁଲୁଥିଲା। କିନ୍ତୁ, ଘର ଭିତରୁ ଦୁର୍ଗନ୍ଧ ଆସୁଥିବାରୁ ସେମାନେ ଚିନ୍ତିତ ହୋଇପଡ଼ିଥିଲେ। ପଡ଼ାଲୋକଙ୍କୁ ଜଣାଇବା ପରେ ସେ ପୁଲିସକୁ ସୂଚନା ଦେଇଥିଲେ। ଶନିବାର ସନ୍ଧ୍ୟାରେ ଧନୁପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଭିତରକୁ ଯିବାରୁ ୩ ଜଣଙ୍କ ମୃତଦେହ ମିଳିଥିଲା। ସମସ୍ତଙ୍କୁ ହତ୍ୟା କରିବା ପରେ ବେଡ୍‌ସିଟ୍‌, କମ୍ବଳ ଆଦିରେ ମୃତଦେହକୁ ସଂପୂର୍ଣ୍ଣ ଘୋଡ଼ାଇ ଦିଆଯାଇଥିଲା।

ସଲମାନ ଅହମଦ ମଧ୍ୟ ଗତ କିଛିଦିନ ହେଲା କୁଆଡ଼େ ଗାଏବ ଥିବା ସ୍ଥାନୀୟ ଲୋକ କହିଛନ୍ତି। ଅତିରିକ୍ତ ଏସ୍‌ପି ଅଟ୍‌କୋ କୁଜୁରଙ୍କ ସମେତ ସଦର ଏସ୍‌ଡିପିଓ ପ୍ରଦୀପ ସାହୁ, ଧନୁପାଲି ଥାନାଧିକାରୀ ଅନିତା ପ୍ରଧାନ, ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ। ରାତି ହୋଇଯାଇଥିବାରୁ ରବିବାର ମୃତଦେହଗୁଡ଼ିକର ପଞ୍ଚନାମା ହେବ। ପଞ୍ଚନାମା ପରେ କିଭଳି ହତ୍ୟା କରାଯାଇଛି ତାହା ଅଧିକ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କହାଯାଇଛି। ସଲମନ ଅମହଦ ଫେରାର ଥିବାରୁ ହତ୍ୟା ଘଟଣାରେ ତାଙ୍କ ସଂପୃକ୍ତି ଥିବା ନେଇ ପୁଲିସର ସନ୍ଦେହ ଘନୀଭୂତ ହୋଇଛି।