ବୀଭତ୍ସ ହତ୍ୟା: ରାସ୍ତାକଡ଼ ଜମିରୁ ଯୁବକଙ୍କ ହାତ-ଗୋଡ-ମୁଣ୍ଡ ବିହୀନ ଶବ ଉଦ୍ଧାର

ବୀରମହାରାଜପୁର: ରାସ୍ତାକଡ଼ରେ ଥିବା ଚାଷ ଜମିରୁ ଆଜି ସକାଳୁ ଜଣେ ଯୁବକଙ୍କର ହାତ, ଗୋଡ଼ ଓ ମୁଣ୍ଡ ବିହୀନ ଶବ ଉଦ୍ଧାର ହୋଇଛି। ଅଭିଯୁକ୍ତମାନେ ସଂପୃକ୍ତ ଯୁବକଙ୍କୁ ବୀଭତ୍ସ ଭାବରେ ହତ୍ୟା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଂଚଳରେ ଏହି ହତ୍ୟାକାଣ୍ଡ ହୋଇଛି। ମୃତକ ହେଲେ ସୁବଳୟା ଥାନା ଅନ୍ତର୍ଗତ ଖଇରମାଳ ଗ୍ରାମର ବଳଭଦ୍ର ବିଶ୍ୱାଳଙ୍କ ପୁଅ ମାନଭଂଜନ ବିଶ୍ୱାଳ (୨୧)।

ସୂଚନା ଅନୁସାରେ ସୁବଳୟା ଥାନା ଅନ୍ତର୍ଗତ ଲୁତୁରପଙ୍କ ପଂଚାୟତର ବାବୁପାଲି ଗାଁରୁ କେନଝରିଆପାଲି ଯିବା ରାସ୍ତାରେ ଆଜି ସକାଳୁ ହାତ, ଗୋଡ଼ ଓ ମୁଣ୍ଡ ନଥିବା ଏକ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ କରୁଛି।

ଆଇଆଇସି କୁଶ କୁମାର ପାଣିଗ୍ରାହୀ କହିଛନ୍ତି, ଗତକାଲି ପୂର୍ବାହ୍ନ ୧୧ଟାରେ ମାନଭଂଜନଙ୍କୁ ଗାଁର ଜଣେ ଯୁବକ ଡାକି ନେଇଥିଲା। ଉଭୟ ଏକ ମୋଟର ସାଇକେଲରେ କେଉଁଆଡେ ଯାଇଥିଲେ। ମାନଭଂଜନଙ୍କୁ ଡାକି ନେଇଥିବା ଯୁବକ ଜଣକ ମଧ୍ୟ ଏପର୍ଯ୍ୟନ୍ତ ଘରକୁ ଫେରି ନାହିଁ। ଘଟଣାସ୍ଥଳରୁ ଏକ ଚପଲ ମଧ୍ୟ ମିଳିଛି। ଶ୍ରୀ ପାଣିଗ୍ରାହୀ କହିଛନ୍ତି, ମୃତ ମାନଭଂଜନଙ୍କ ଦାଦା ଜଳନ୍ଧର ବିଶ୍ୱାଳଙ୍କ ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରୁଛି। ଅଭିଯୁକ୍ତମାନେ ମାନଭଂଜନଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଶରୀରରୁ ମୁଣ୍ଡ, ହାତ ଓ ପାଦ ଛିଣ୍ଡାଇ ଦେଇଛନ୍ତି। ଶରୀରଟି ଚାଷ ଜମିରୁ ଉଦ୍ଧାର ହୋଇଥିବା ବେଳେ ହାତ ଓ ପାଦ ଅଳ୍ପ ଦୂରରୁ ମିଳିଛି। କିନ୍ତୁ ମୁଣ୍ଡଟି ମିଳିପାରିନାହିଁ। ଆସନ୍ତାକାଲି ପୋଷ୍ଟମର୍ଟମ ହେବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ।

ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ, ଅତିରିକ୍ତ ଏସ୍‌ପି ଆର.କେ ପାଣିଗ୍ରାହୀ, ଉପଖଣ୍ଡ ପୁଲିସ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ, ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ନେଇ ତଦନ୍ତ ଚଚଳାଇଛନ୍ତି।

ସମ୍ବନ୍ଧିତ ଖବର