ଜମିବାଡ଼ି ଗଣ୍ଡଗୋଳରୁ ଗଡ଼ିଲା ମୁଣ୍ଡ

ସ୍ବାମୀ ମୃତ, ସ୍ତ୍ରୀ ଓ ଦୁଇ ଝିଅ ଗୁରୁତର, ୪ ହତ୍ୟା ଅଭିଯୁକ୍ତ ଫେରାର୍‌

ଦେଓଗାଁ: ଜମିବାଡ଼ିକୁ କେନ୍ଦ୍ର କରି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବରଗାଁରେ ମୁଣ୍ଡ ଗଡ଼ିଛି। ଦୁଇ ପରିବାର ମଧ୍ୟ‌ରେ ଗଣ୍ଡଗୋଳ ଘଟି ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ‌ ହୋଇଛନ୍ତି। ଗତ ହୋଲି ଦିନ ଗାଁ ଦାଣ୍ଡରେ ଅତି ବୀଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ୪ ଅଭିଯୁକ୍ତ ଫେରାର ମାରିଛନ୍ତି।

ଅଭିଯୋଗ ଅନୁସାରେ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ତଥା ବଲାଙ୍ଗୀର ସଦର ବ୍ଲକ୍ ଅନ୍ତର୍ଗତ ବରଗାଁର ଦୁଇ ସମ୍ପର୍କୀୟ ଧନୁ ବୁଡ଼େକ ଏବଂ ସୁଶାନ୍ତ ବେହେରାଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ପୂର୍ବରୁ ସାମାନ୍ୟ କଥାରେ ଉଭୟ ପରିବାର ଝାମେଲା ଲାଗୁଥିଲେ। ଗତ ଶନିବାର ହୋଲି ଦିନ ମୁଣ୍ଡ ଗଡ଼ିବା ପର୍ଯ୍ୟନ୍ତ କଥା ଯାଇଥିଲା। ବେହେରା ପରିବାରର ସୁଶାନ୍ତ ବେହେରା, ବିନୋଦ ବେହେରା, ନିରୋଜ ବେହେରା ଏବଂ ତାଙ୍କ ସମର୍ଥକ ଯୁଧିଷ୍ଟିର ନାଗ, ଟାଙ୍ଗିଆ ଧରି ହଠାତ୍‌ ଧନୁଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ।

ଧନୁଙ୍କୁ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରୁଥିବା ବେଳେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବୁଡ଼େକ ସ୍ୱାମୀଙ୍କୁ ରକ୍ଷା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। ପରେ ବାପା-ମା’ଙ୍କୁ ରକ୍ଷା କରିବାକୁ ଯାଇ ଦୁଇଝିଅ ରଜନୀ ଓ ସଜନ୍ତା ମଧ୍ୟ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ। ରକ୍ତର ହୋଲି ଖେଳିବା ପରେ ଚାରି ଅଭିଯୁକ୍ତ ଫେରାର ମାରିଥିଲେ। ଗାଁ ଲୋକେ ଗୁରୁତର ଅବସ୍ଥାରେ ଧନୁ, ତାଙ୍କ ସ୍ତ୍ରୀ ଓ ଦୁଇଝିଅଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଧନୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଲକ୍ଷ୍ମୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଦେଓଗାଁ ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର