ଯୁବ ସମାଜସେବୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା?

ଭୁବନେଶ୍ବର: ଏକଦା ପ୍ରେରଣାଦାୟୀ ବାର୍ତ୍ତାରେ ମଣିଷପଣିଆର ମହତ୍ବ ବୁଝାଉଥିବା ‘ମାନବପ୍ରେମୀ’ ଆଦିତ୍ୟ ଦାଶଙ୍କର ଅସ୍ବାଭାବିକ ଭାବରେ ମୃତ୍ୟୁ ହୋଇଛି। ଆଜି ସକାଳେ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଲିଙ୍ଗରାଜ ଷ୍ଟେସନଠାରୁ କିଛି ଦୂର ରେଳଧାରଣାରୁ ଉଦ୍ଧାର କରାଯାଇଛି। ରେଳ ଧାରଣା କଟି ତାଙ୍କର ମୃତ୍ୟୁ ହୋଇଛି। ‘ପିପୁଲ ଫର ସେବା’ ଜରିଆରେ ସେ ଲୋକମାନଙ୍କୁ ଅସମୟରେ ସହାୟତା ପ୍ରଦାନ କରୁଥିଲେ। ଏକ ବୃଦ୍ଧାଶ୍ରମ ପରିଚାଳନା କରିବା ସହ ମଦ ବିରୋଧୀ ଆନ୍ଦୋଳନରେ ସାମିଲ ଥିଲେ। ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ପ୍ରେରଣାଦାୟୀ ଭିଡିଓର ୮୭ ହଜାର ଅନୁଗାମୀ ଥିଲେ। ଗତ ମାସ ୯ ତାରିଖରେ ତାଙ୍କର ବିବାହ ହୋଇଥିଲା। ବିବାହକୁ ମାତ୍ର ୨୮ ଦିନ ହୋଇଥିଲା। ଏଭଳି ସ୍ଥିତିରେ ତାଙ୍କର ମୃତ୍ୟୁକୁ ନେଇ ତାଙ୍କର ହଜାର ହଜାର ଅନୁଗାମୀଙ୍କ ସହ ପରିବାରବର୍ଗ ଚକିତ ହୋଇଛନ୍ତି।

ସକାଳେ ଏହି ଖବର ପ୍ରଚାରିତ ହେବା ପରେ ଆଦିତ୍ୟଙ୍କର ବିଧବା ପତ୍ନୀଙ୍କ ସମେତ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଭୁବନେଶ୍ବର ରେଳବାଇ ଥାନା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣାଧୀନ କରିବା ସହ ଶବକୁ ଜବତ କରି କ୍ୟାପିଟାଲ ହସ୍‌ପିଟାଲରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଆଦିତ୍ୟଙ୍କ ଘର ବୌଦ୍ଧ ଜିଲ୍ଲାର ତଳଶରଦା ସହଜପଲ୍ଲା ଅଞ୍ଚଳରେ। ଗତ ଜୁନ୍ ମାସ ୯ ତାରିଖରେ କଟକର ଖପୁରିଆରେ ସେ ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ। ସେ ସୁନ୍ଦରପଦା ଏକାମ୍ର ବିହାରରେ ଭଡ଼ା ଘରେ ରହୁଥିଲେ। ଏହାର କିଛି ଦୂରରେ ତ୍ରିଲୋଚନ ବିହାରରେ ସେ ଏକ ବୃଦ୍ଧାଶ୍ରମ ଚଲାଉଥିଲେ। ଫେସବୁକରେ ପ୍ରେଣାଦାୟୀ ପୋଷ୍ଟ କରୁଥିବା ବେଳେ ଗତ ରାତିରେ ତାଙ୍କର ଶେଷ ଷ୍ଟାଟସ୍‌ ଅପ୍‌ଡେଟ୍‌ ଥିଲା ‘ମୃତ୍ୟୁ ଯେତେବେଳେ ଆସେ, ବହୁତ ଧୀରେ ଧୀରେ ଆସେ, କେହି ଜାଣି ପାରନ୍ତି ନାହିଁ।’ କେବଳ ଏଭଳି ଅବସାଦଗ୍ରସ୍ତ ପୋଷ୍ଟ ନୁହେଁ ବରଂ କିଛି ଦିନ ହେବ ତାଙ୍କ ଆଚରଣରେ ମଧ୍ୟ ପରିବର୍ତ୍ତନ ହୋଇଥିଲା। ହଠାତ୍‌ ଦିନେ ଲଣ୍ଡା ହୋଇ ଘରକୁ ଆସିଥିବା ତାଙ୍କ ପତ୍ନୀ ବିଦ୍ୟାଶ୍ରୀ କହିଛନ୍ତି। ତାଙ୍କୁ ନ ପଚାରି କିଛି କରୁନଥିଲେ ମଧ୍ୟ ଏଭଳି ଲଣ୍ଡା ହେବା କଥାକଥାକେ ଚିଡ଼୍‌ଚିଡ଼୍‌ ହେବା, ଗାଁକୁ ଚାଲିଯିବା ପାଇଁ କହିବା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏକ ପ୍ରାଇଭେଟ୍‌ ଚାକିରି ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ଗତକାଲି ସନ୍ଧ୍ୟାରେ ଏକାଠି ଯିବାର ଥିଲେ ମଧ୍ୟ ବିନା କାରଣରେ ପତ୍ନୀଙ୍କ ସହ ଝଗଡ଼ା କରି ହାତ ଘଣ୍ଟା ଓ ମୋବାଇଲ୍‌ ଛାଡ଼ି ଚାଲି ଯାଇଥିଲେ, ଆଉ ଫେରିନଥିଲେ।

ନିଶା ନିବାରଣ ଆନ୍ଦୋଳନରେ ସେ ସକ୍ରିୟ ଥିବାରୁ ତାଙ୍କୁ କେହି ହତ୍ୟା କରିଥାଇ ପାରନ୍ତି। ହାତରେ ରୂପା ବ୍ରେସ୍‌ଲେଟ୍‌ ଓ ଦୁଇଟି ଗ୍ରହ ମୁଦି ସହ ଏକ ସୁନା ମୁଦି ନଥିବାରୁ ଆଦିତ୍ୟଙ୍କ ବାପା ନନ୍ଦ କିଶୋର ଦାସ ହତ୍ୟା ସନ୍ଦେହ କରିଛନ୍ତି। ତାଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରେଳବାଇ ପୁଲିସ କହିଛି।

ସମ୍ବନ୍ଧିତ ଖବର