କୋରାପୁଟ/ଦଶମନ୍ତପୁର : ସୀମା ଟପିଛି ବର୍ବରତା। ମା’ କୋଳରୁ ୩ ମାସର ଶିଶୁ କନ୍ୟାକୁ ଭିଡ଼ି ନେଇ ହତ୍ୟା କରାଯାଇଛି। କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ପେଡ଼ିସିଲ ଗ୍ରାମରେ ଏମିତି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି। ତେବେ କିଏ, କାହିଁକି ଏମିତି ଅମାନବୀୟ କାମ କରିଛି ତାହା ସ୍ପଷ୍ଟ ହୋଇନି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଦଶମନ୍ତପୁର ବ୍ଲକ୍‌ ପେଡ଼ିସିଲ ଗ୍ରାମର ରାଜେନ୍ଦ୍ର ମୁଦୁଲିଙ୍କ ପତ୍ନୀ ମୀନତା ଗତକାଲି ରାତିରେ ୩ ମାସର କୁନି ଝିଅକୁ କୋଳରେ ଧରି ଶୋଇଥିଲେ। ପାଖରେ ୩ବର୍ଷର ବଡ଼ ଝିଅ ମଧ୍ୟ ଶୋଇଥିଲା। ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିବା ରାଜେନ୍ଦ୍ର ରାତି ୧୧ଟା ବେଳକୁ ଘରକୁ ଫେରିଥିଲେ। ଏହା ପରେ ସେ ପୁଣି ବାହାରକୁ ଚାଲି ଯାଇଥିଲେ। କିନ୍ତୁ ଅଧରାତିରେ ମୀନତାଙ୍କ ନିଦ ଭାଙ୍ଗିଲା ବେଳକୁ ପାଖରେ ସାନ ଝିଅ ନ ଥିଲା। ଆଖାପାଖରେ ଝିଅକୁ ଖୋ‌ଜାଖୋଜି କରି ପାଇ ନ ଥିଲେ। ସ୍ବାମୀ ଝିଅକୁ ନେଇ ଯାଇଥିବେ ବୋଲି ଭାବି ତାଙ୍କ ପାଖକୁ ଦୌଡ଼ିଥିଲେ। କିନ୍ତୁ ଝିଅ ବିଷୟରେ କିଛି ଜାଣି ନ ଥିବା ରାଜେନ୍ଦ୍ର କହିବା ପରେ ସେମାନେ ଛାନିଆ ହୋଇ ଯାଇଥିଲେ। ରାତି ଅଧରେ ୩ ମାସର ଶିଶୁ କନ୍ୟା କୁଆଡ଼େ ଗଲା ଭାବି ଖୋଜାଖୋଜି କରିଥିଲେ। ଏହି ସମୟରେ ଗ୍ରାମର ଜଣେ ମୁକ ବ୍ୟକ୍ତି ସେମାନଙ୍କୁ ଠାରରେ କିଛି ଜଣାଇବା ସହ ଧାନ ଗଦା ପାଖକୁ ନେଇ ଯାଇଥିଲା। ସେଠାରେ ପାଳଗଦା ଉପରେ ଝିଅଟି ପଡ଼ିଥିଲା। ପରେ ଆମ୍ବୁଲାନ୍ସ ଯୋଗେ ଶିଶୁ କନ୍ୟାକୁ ଦଶମନ୍ତପୁର ଡାକ୍ତରଖାନାକୁ ଅଣା ଯାଇଥିଲା। କିନ୍ତୁ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

publive-image

ଏ ନେଇ ପରିବାର ଲୋକେ ଦଶମନ୍ତପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୧୦୫/୧୯ରେ ଏକ ମାମଲା ରୁଜୁ କରିଛି। ଆଇପିସିର ୩୬୩/୩୦୨/୨୦୧ଧାରା ଲଗାଯାଇଥିଲା ବେଳେ ଥାନା ଅଧିକାରୀ କ୍ଷୀରେଶ୍ବର ସାହୁ ଘଟଣାର ତଦନ୍ତ କରୁଛନ୍ତି। ଆଜି କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଶିଶୁ କନ୍ୟାର ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ କିଏ କାହିଁକି ଏହି ନୃଶଂସ କାଣ୍ଡ ଭିଆଇଛି ତାହା କିଛି ସ୍ପଷ୍ଟ ହୋଇନି। ତେବେ ଏହାକୁ ନେଇ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ମା କୋଳରୁ ଉଠାଇ ନେଇ ଜଣେ ନିଷ୍ପାପ ଶିଶୁକନ୍ୟାକୁ ହତ୍ୟା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରି ନାହାନ୍ତି। ଦୋଷୀଙ୍କୁ ଧରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଅପରପକ୍ଷରେ ଏହି ଘଟଣା ପଛରେ କିଛି ନିଜ ଲୋକଙ୍କ ହାତ ଥାଇପା‌ରେ ବୋଲି ସନ୍ଦେହ କରାଯାଉଛି। ତେବେ ପୁଲିସ ଏ ସଂପର୍କରେ କିଛି କହିବାକୁ ମନା କରି ଦେଇଛି। ଘଟଣାର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି। ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।