ଛତିଶଗଡ଼ରେ ଓଡ଼ିଆ ପରିବାରର ୪ ସଦସ୍ୟଙ୍କୁ ହତ୍ୟା ଘଟଣା: ମୃତ ଭୋଳାନାଥଙ୍କ ଭାଇ ସହ ୩ ଗିରଫ

ସିନ୍ଧେକେଲା : ଛତିଶଗଡ଼ରେ ବଲାଙ୍ଗୀରର ଗୋଟିଏ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ଘଟିବାର ୨୪ ଘଣ୍ଟା ନ ପୂରୁଣୁ ଛତିଶଗଡ଼ ପୁଲିସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଛି। ଏହି ଘଟଣାରେ ମୃତ ଭୋଳାନାଥଙ୍କ ଭାଇ ଓ ତାଙ୍କ ୨ ଜଣ ସାଙ୍ଗଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଦେଢଗାଁ ପଞ୍ଚାୟତର ଡେଙ୍ଗପଦର ଗ୍ରାମର ଭୋଲାନାଥ ଯାଦବ କିଛିବର୍ଷ ତଳେ ତାଙ୍କ ପରିବାର ସହ ଛତିଶଗଡ଼ ରାଜ୍ୟ ଭିଲାଇ ସ୍ଥିତ ଓକାଲା ନିକଟ ଏକ ଫାର୍ମ ହାଉସ୍‌ରେ କାମ କରୁଥିଲେ। ତାଙ୍କ ସହ ସେ ଆଖପାଖ ବାଡ଼ିରେ ମାନଙ୍କରେ ତାଙ୍କ ଦୁଇଭାଇ ଓ ବାପା-ମା ମଧ୍ୟ କାମ କରୁଥିଲେ। ଏସବୁ ମଧ୍ୟରେ ଭୋଳାନାଥଙ୍କ ପରିବାର ବେଶ ହସଖୁସିରେ ଚଳୁଥିଲେ। ହେଲେ ବୁଧବାର ରାତିରେ ଭୋଲାନାଥଙ୍କ ସହ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଅତି ନିର୍ମମ ଭାବେ ହତ୍ୟାର ଶିକାର ହେଲେ। ହତ୍ୟାକାରୀ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହାଣି‌ ପାଇଥିବାବେଳେ ସ୍ଥାନୀୟ ପୁଲିସ ରକ୍ତ ଜୁଡୁବୁଡୁ କପଡ଼ା ଓ ଧାରୁଆ ଅସ୍ତ୍ର ଜବତ କରିଛି। ଏ ସମ୍ପର୍କରେ ଦୁର୍ଗ ପୁଲିସ ଅଧୀକ୍ଷକ ଡ. ଅଭିଷେକ ବଲ୍ଲଭଙ୍କୁ ପଚାରିବାରୁ, ହତ୍ୟାକାଣ୍ଡ ପଛରେ ସମ୍ପତ୍ତି ବିବାଦ ଓ ଟଙ୍କା କାରଣ ବୋଲି କହିଛନ୍ତି। ଭୋଳାନାଥଙ୍କ ଭାଇ ଓ ତାଙ୍କ ୨ ସାଙ୍ଗ ମୋଟ୍‌ ୩ ଜଣଙ୍କୁ ଗିରଫ କରଯାଇଛି। ଅଭିଯୁକ୍ତଙ୍କ ପାଖରୁ ମୃତକଙ୍କ ମୋବାଇଲ ଓ ଭୋଳାନାଥଙ୍କ ଭାଇଙ୍କଠାରୁ ୫ ଲକ୍ଷ ଟଙ୍କା ଜବତ କରାଯାଇଛି।

ପ୍ରକାଶ ଥାଉ କି, ଭୋଲାନାଥଙ୍କ ୩ ଝିଅ ଓ ଗୋଟିଏ ପୁଅ ଥିଲେ। ଘଟଣା ଦିନ ୨ ବଡ଼ ଝିଅ ତାଙ୍କ ଜେଜେବାପା ଓ ଜେଜେମାଆଙ୍କ ସହ ତାଙ୍କ ଘରେ ଥିବାରୁ ହତ୍ୟାରୁ ବର୍ତ୍ତି ଯାଇଥିବା ଗ୍ରାମବାସୀଙ୍କଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର