ନୀଳଗିରି: ଯୌତୁକ ପାଇଁ ମହିଳାଙ୍କୁ ଶାଶୂଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନି। ଫଳରେ ମହିଳାଙ୍କ ବାପାଘର ଲୋକ ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି।
ନୀଳଗିରି ଥାନା ଅଧୀନ ଜଗନ୍ନାଥପୁର ଗାଁ’ର ବେଣୁଧର ଓଝାଙ୍କ ଝିଅ ଜସ୍ମିନ (୨୨) ୧୨.୫.୧୯ରେ ସଦର ଥାନା ଅଧୀନ କେନ୍ଦୁଡ଼ିହା ଗ୍ରାମର ରାମଚନ୍ଦ୍ର ବିନ୍ଧାଣୀଙ୍କ ପୁଅ ସୁରେନ୍ଦ୍ରଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ କନ୍ୟାପକ୍ଷ ୮୦ ହଜାର ଟଙ୍କା ସହ ସୁନାଗହଣା ଏବଂ ସମସ୍ତ ଆସବାପତ୍ର ଦେଇଥିଲେ। ବିବାହର ୧ ବର୍ଷ ପର୍ଯ୍ୟନ୍ତ ଜସ୍ମିନଙ୍କ ବୈବାହିକ ଜୀବନ ହସଖୁସିରେ ଚାଲିଥିଲା। ହେଲେ ତା’ ପରେ ଅଧିକ ୧ ଲକ୍ଷ ଟଙ୍କା ଯୌତୁକ ଦାବି କରି ସ୍ୱାମୀ, ଶାଶୂ, ଶ୍ବଶୁର, ଦିଅର, ନଣଦ ଜସ୍ମିନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ଏପରି ସମୟରେ ୧.୪.୨୨ରେ ଜସ୍ମିନ ବାପାଘରକୁ ଫୋନ୍ କରି ୩ ଦିନ ମଧ୍ୟରେ ୧ ଲକ୍ଷ ଟଙ୍କା ନ ଦେଲେ ଶାଶୂଘର ଲୋକ ତାଙ୍କୁ ମାରିଦେବେ ବୋଲି କହିଥିଲେ।
ତେବେ ୫.୫.୨୨ ରାତିରେ ଜସ୍ମିନଙ୍କ ମୃତ୍ୟୁ ହୋଇଥିବା ନେଇ ପଡ଼ୋଶୀମାନେ ବାପାଘରକୁ ଖବର ଦେଇଥିଲେ। ଜସ୍ମିନଙ୍କ ବାପା ବେଣୁଧର ତାଙ୍କ ଝିଅକୁ ଶାଶୂଘର ଲୋକ ମାରିଦେଇଥିବା ନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ୧୦୩/୨୨ରେ ଏକ ମାମଲା ରୁଜୁ ହେବା ସହ ସ୍ୱାମୀ ସୁରେନ୍ଦ୍ର ଓ ଦିଅର ଅମରେନ୍ଦ୍ରଙ୍କୁ ଗିରଫ କରାଯାଇଛି। ହେଲେ ମାସେ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶାଶୂ ଜୁଳୁକି, ଶ୍ବଶୁର ରାମଚନ୍ଦ୍ର ଓ ନଣଦଙ୍କୁ ଏଯାଏ ତଦନ୍ତ ପରିସରକୁ ଅଣାଯାଇନି। ଫଳରେ ବେଣୁଧର ପୁଲିସର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ କରି ନ୍ୟାୟ ପାଇବାକୁ ବାଲେଶ୍ୱର ଏସ୍ପିଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ଏସ୍ପି ଘଟଣା ସମ୍ପର୍କରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ତଦନ୍ତକାରୀ ଅଫିସର ବନବିହାରୀ ଶତପଥୀଙ୍କୁ ପଚାରିବାରୁ ଏହି ମାମଲାରେ ତଦନ୍ତ ରିପୋର୍ଟ ଆସିଲା ପରେ ଯାହା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ସୂଚନାଥାଉକି, ଜସ୍ମିନଙ୍କର ଦେଢ଼ବର୍ଷର ପୁଅଟିଏ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/14-6.jpg)