ଦିଗପହଣ୍ଡି: ଘରେ ହୋଇଥିବା ପୂଜାକୁ ନିମନ୍ତ୍ରଣ ନ କରିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଭୀଷ୍ମଗିରି ଗ୍ରାମରେ ଆଜି ଭୋର୍ ୪ଟାରେ ଏକ ହତ୍ୟାକାଣ୍ଡ ଘଟିଛି। ବି.ରାମଚନ୍ଦ୍ର ପାତ୍ର ଓରଫ୍ ବି.ଟୁଲୁ ପାତ୍ରଙ୍କୁ (୪୦)ଙ୍କୁ ତାଙ୍କ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ କାଠଫାଳିଆରେ ପିଟି ପିଟି ସେହି ଗ୍ରାମର କେ.ସନ୍ତୋଷ ପାତ୍ର (୩୨)ଓରଫ ଗୁର୍ଖା ହତ୍ୟା କରିଛି। ଏନେଇ ଦିଗପହଣ୍ଡି ଥାନାରେ କେସ୍ ନମ୍ବର ୨୩୬/୨୫ରେ ଏକ ହତ୍ୟା ମାମଲା ରୁଜୁ ସହ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରାଯାଇଛି।
ଘର ବାରଣ୍ଡାରେ ଶୋଇଥିବା ଯୁବକଙ୍କୁ ପିଟି ପିଟି ମାରିଦେଲେ
ବନ୍ଧାହେଲା ଅଭିଯୁକ୍ତ
ମୃତକ ଟୁଲୁ ଓ ସନ୍ତୋଷ ସଂପର୍କୀୟ ହୋଇଥିବା ବେଳେ ଉଭୟଙ୍କ ପରିବାର ବଡ଼ଗୋଲା ସାହିରେ ରହୁଛନ୍ତି। ଟୁଲୁ ଭୁବନେଶ୍ବରରେ କାମ କରୁଥିବା ବେଳେ ଗତ ଶନିବାର ଘରେ ନୃସିଂହ ଠାକୁରଙ୍କ ପୂଜା ପାଇଁ ଘରକୁ ଆସିଥିଲେ। କିନ୍ତୁ ସନ୍ତୋଷର ପରିବାରକୁ ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇ ନଥିଲା। ଯାହାକୁ ନେଇ ଗତକାଲି ରାତି ୧୦ଟାରେ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା। ଧସ୍ତାଧସ୍ତି ଭିତରେ ସନ୍ତୋଷର ମା’ ଆହତ ହୋଇଥିଲେ। ପଡ଼ୋଶୀ ହସ୍ତକ୍ଷେପ କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ତେବେ ରାଗରେ ସନ୍ତୋଷ ଭୋର୍ ୪ଟାରେ ଟୁଲୁ ତାଙ୍କ ଘର ବାରଣ୍ଡାରେ ଏକୁଟିଆ ଶୋଇଥିବା ଦେଖିଥିଲା। ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ବାରମ୍ବାର ପିଟିବାରୁ ଟୁଲୁ ସେଠାରେ ହିଁ ଟଳିପଡ଼ିଥିଲେ। ଚିକିଟି ଏସ୍ଡିପିଓ ବିଶ୍ବାମିତ୍ର ହରପାଲ୍ ଓ ଦିଗପହଣ୍ଡି ପୁଲିସ ପହଞ୍ଚି ତଦନ୍ତ କରିଥିଲେ। ଏହାସହ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା। ସେପଟେ ଅଭିଯୁକ୍ତ ସନ୍ତୋଷ କାଠଫାଳିଆକୁ ଏକ ନାଳରେ ଫୋପାଡ଼ି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଦିଗପହଣ୍ଡି ବସଷ୍ଟାଣ୍ଡ୍ରୁ କାବୁ କରାଯାଇଥିଲା। ମୃତକଙ୍କ ଭଉଣୀ ଜି.ସୁନୀତା ପାତ୍ରଙ୍କ ଏତଲା କ୍ରମେ ମାମଲା ରୁଜୁ ସହ ସନ୍ତୋଷକୁ ଗିରଫ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ଜ୍ୟୋତିରଞ୍ଜନ ବେହେରା ସୂଚନା ଦେଇଛନ୍ତି।