ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳରେ ଘଟିଛି ବର୍ବରକାଣ୍ଡ। ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଏହାପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।

Advertisment

ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ ଅଳ୍ପ ଦୂରରେ ହିଁ ଯୁବତୀଙ୍କ ଘର। ମାସକ ତଳେ ବାପା, ମା’ ଦାଦନ ଖଟିବାକୁ ବାହାରକୁ ଚାଲି ଯାଇଥିଲେ। ତେଣୁ ଦୁଇ ଭାଇ, ଭଉଣୀ ଏବଂ ଆଈଙ୍କ ସହ ଯୁବତୀ ରହୁଥିଲେ। ଗୋଟିଏ କାଜୁ ମିଲ୍‌ରେ ମଧ୍ୟ କାମ କରୁଥିଲେ ବୋଲି ଜଣାପଡ଼ିଛି। ୩ଦିନ ତଳେ (୩୦ତାରିଖ ସଂଧ୍ୟାରେ) କାଠ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଉଥିବା କହି ଘରୁ ବାହାରିଥିଲେ। ଏହାପରେ ଆଉ ଘରକୁ ଫେରି ନଥିବା ବେଳେ ପରିବାର ଲୋକ ସନ୍ଧାନ କରିଥିଲେ ସୁଦ୍ଧା ପତ୍ତା ପାଇ ନଥିଲେ। ତେବେ ଆଜି ସକାଳେ ନୀଳଗିରି ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ଆଖପାଖର କିଛି ମହିଳା ଗୋଟିଏ ମୋବାଇଲ ଫୋନ୍‌ ପାଇଥିଲେ। ସ‌ନ୍ଦେହ ହେବାରୁ ଜଙ୍ଗଲରେ ଖୋଜାଖୋଜି କରିବାରୁ ଜଣେ ଯୁବତୀଙ୍କ ଅର୍ଦ୍ଧନଗ୍ନ ଶବ ବୁଦା ଭିତରେ ପଡ଼ିଥିବା ଦେଖିଥିଲେ। ଶରୀରରେ ଗଭୀର କ୍ଷତ ରହିଥିବାବେଳେ ଦୁର୍ବୃତ୍ତ ଚୁଟି ପୋଡ଼ି ଦେଇଥିବା ଦେଖିବାକୁ ମିଳିଥିଲା । ଶବ ନିକଟସ୍ଥ ଗାଁର ଯୁବତୀର ବୋଲି ଚିହ୍ନିବା ପରେ ତୁରନ୍ତ ସଂପର୍କୀୟଙ୍କୁ ଖବର ଦେଇଥିଲେ। ଖବର ପାଇଁ ଯୁବତୀଙ୍କ ସଂପର୍କୀୟ ମାମୁ ଘଟଣାସ୍ଥଳରେ ପହଞ୍ଚି ଶବ ତାଙ୍କ ଭାଣିଜୀର ବୋଲି ସ୍ପଷ୍ଟ ହେବାରୁ ବୋରିଗୁମ୍ମା ଥାନାରେ ଏତଲା ଦେଇଥିଲେ।

ବୋରିଗୁମ୍ମା ଏସ୍‌ଡିପିଓ ହରେକୃଷ୍ଣ ମାଝୀ ଏବଂ ଥାନା ଅଧିକାରୀ କ୍ଷୀରେଶ୍ବର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରୁଛି। ପ୍ରମାଣ ନଷ୍ଟ ପାଇଁ ଶବକୁ ପୋଡ଼ି ଦେବାକୁ ଦୁର୍ବୃତ୍ତ ଚେଷ୍ଟା କରିଥିଲେ। ତେବେ କେବଳ ଚୁଟି ଜଳି ଯାଇଥିବା ଆଶଙ୍କା କରାଯାଉଥିବା ଆଇଆଇସି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।