ବାଲିଘାଟ ଲିଜଧାରୀଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ଏସ୍‌ଆଇ ନିଲମ୍ବିତ

ବିଂଝାରପୁର: ବାଲିଘାଟ ଲିଜ୍‌ଧାରୀ ସୁରେନ୍ଦ୍ର ଦାଶଙ୍କୁ ବୋମାମାଡ଼ କରି ହତ୍ୟା  ଘଟଣାରେ  ବିଂଝାରପୁର ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୀର୍ଘ ୮ ଘଣ୍ଟା ଧରି ମାସଡ଼ା ଛକରେ ଟାୟାର ଜାଳି ରାସ୍ତା‌ ଅବରୋଧ କରିଥିଲେ। ଏ ଘଟଣାରେ ଯାଜପୁର ଏସପି ରାହୁଲ ପିଆର ଜଣେ ପୁଲିସ ସବ୍‌ଇନସପେକ୍ଟର କଣ୍ଡୁରି ଚରଣ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଯାଜପୁର ପୁଲିସର ଏକ ଟିମ୍ ମୁଖ୍ୟ ଅଭିଯୁକ୍ତ ଗିରିଧାରୀ ମଲିକ ଓରଫ ଟେରାକୁ ବରୀ ଥାନା ଭୁରୁଙ୍ଗା ଗ୍ରାମରୁ ଗିରଫ କରିଥିବା ଅତିରିକ୍ତ ଏସ୍‌ପି ବାଉରିବନ୍ଧୁ ବେହେରା ସୂଚନା ଦେଇଛନ୍ତି।

ଗୁରୁବାର ସନ୍ଧ୍ୟାରେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଏସ୍‌ପି ରାହୁଲ ପିଆର୍‌ ବିଂଝାରପୁର ଥାନାରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ। ଏହାପରେ ପୁଲିସ ୪ ଜଣଙ୍କୁ ଉଠାଇଥିଲା। ପୁଲିସର ଏକ ଟିମ୍ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉକରି କଲ୍ୟାଣପୁର ଗ୍ରାମରୁ ଜଣେ, ଟିଣା ଗ୍ରାମରୁ ଜଣେ ଓ ମାସଡ଼ା ଗ୍ରାମରୁ ୨ ଜଣଙ୍କ ସମେତ ୪ ଜଣଙ୍କୁ ଉଠାଇଆଣି ଅଟକ ରଖିଥିଲା। ଶୁକ୍ରବାର ସକାଳେ ପରିସ୍ଥିତି ବିଗିଡ଼ି ଯାଇଥିଲା। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ମୁଖ୍ୟ ଅଭିଯୁକ୍ତ ସମେତ ସହଯୋଗୀମାନଙ୍କୁ ତୁରନ୍ତ ଗିରଫ, ବିଂଝାରପୁର ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ସକାଳ ୫ଟାରୁ ଗ୍ରାମବାସୀ ବାଳମୁକୁଳି ବଜାର ଓ ସାପ୍ତାହିକ ହାଟ ବନ୍ଦ କରିଥିଲେ। ମାସଡ଼ା ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅତିରିକ୍ତ ଏସପି ବାଉରିବନ୍ଧୁ ବେହେରା ଓ ଏସଡିପିଓ ସରୋଜ କୁମାର ଉପାଧ୍ୟାୟ, ନାରାୟଣ ଚନ୍ଦ୍ର ବାରିକ ବିଂଝାରପୁରରେ ପହଞ୍ଚିଥିଲେ। ତହସିଲଦାର ଦୀପକ କୁମାର ରାଉତ ଓ ପୁଲିସ ଅଧିକାରୀମାନେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ଥିଲେ। ଦାୟିତ୍ବରେ ଅବହେଳା ପାଇଁ ଏସ୍‌ଆଇ କଣ୍ଡୁରି ଚରଣ ଦାସଙ୍କୁ ଏସ୍‌ପି ନିଲମ୍ବନ କରିଥିବା ନେଇ ମଧ୍ୟାହ୍ନରେ ସୂଚନା ଦିଆଯାଇଥିଲା। ତଥାପି ଲୋକେ ରାସ୍ତାରୋକରୁ ହଟି ନଥିଲେ।

ମୁଖ୍ୟ ଅଭିଯୁକ୍ତକୁ ଗିରଫ ଓ ବିଂଝାରପୁର ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଥିଲେ। ଅପରାହ୍‌ଣ ୨ଟାରେ ମୁଖ୍ୟ ଅଭିଯୁକ୍ତ ଟେରା ମଲିକକୁ ବରୀ ଥାନା ଭୁରୁଙ୍ଗା ଗ୍ରାମରୁ ଗିରଫ କରାଯାଇଛି ଏବଂ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସପି ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ। ମୃତଦେହ ବ୍ୟବଚ୍ଛେଦ ହୋଇ ଫେରିବାର ଦୀର୍ଘ ୮ ଘଣ୍ଟା ପରେ ଆନ୍ଦୋଳନକାରୀ ରାସ୍ତାରୁ ଉଠିଥିଲେ। ବୋମାମାଡ଼ ସ୍ଥାନ ମନେଇ ଘାଟକୁ ସାଇଣ୍ଟିଫିକ୍ ଟିମ୍‌ ଯାଇ ତଦନ୍ତକରି ଫେରିଛନ୍ତି। ପୁଲିସ ୨୨୭/୨୨ ନମ୍ବରରେ ମାମଲା ରୁଜୁ କରିବା ସହ ଦଫା ୩୦୨, ସଶସ୍ତ୍ର ଆଇନ ୩, ୪, ୫ ଓ ୩୪ ଆଇପିସିରେ ତଦନ୍ତ ଚଳାଇଛି।

ଗୁରୁବାର ସଂଧ୍ୟାରେ ବିଂଝାରପୁର ତହସିଲ ଅନ୍ତର୍ଗତ ଫତେପୁର ପଞ୍ଚାୟତ ଖରସ୍ରୋତା ନଦୀର ମନେଇ ସରକାରୀ ବାଲିଘାଟରେ ବୋମା ମାଡ଼ ହୋଇଥିଲା। ଏଥିରେ ବାଲିଘାଟ ଲିଜ୍‌ଧାରୀ ସୁରେନ୍ଦ୍ର ଦାଶଙ୍କର ମୃତ୍ୟୁ ଘଟିଥିଲା। ଏହାପୂର୍ବରୁ ସୁରେନ୍ଦ୍ରଙ୍କୁ ଅଭିଯୁକ୍ତ ଟେରା ମଲିକ ବୋମା ଫିଙ୍ଗିଥିଲା। ଏନେଇ ଗତ ୧୯ ତାରିଖରେ ସୁରେନ୍ଦ୍ର ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଏସଆଇ କଣ୍ଡୁରି ଚରଣ ବେହେରା ତାଙ୍କୁ ୫ ହଜାର ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗ କରି ସୁରେନ୍ଦ୍ରଙ୍କ ପରିବାର ସମେତ ଗ୍ରାମବାସୀ ପୁଲିସକୁ ଦାୟୀ କରିଥିଲେ।

ସମ୍ବନ୍ଧିତ ଖବର