ବାଲେଶ୍ବର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନଙ୍କୁ ହତ୍ୟା

ବାରିପଦା: ସାମାନ୍ୟ ବଚସାରୁ ସଂଘବଦ୍ଧ ଆକ୍ରମଣ କରାଯାଇ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କପ୍ତିପଦା ଥାନା ନୂଆସାହି କୁସୁମପୁର ଛକ ନିକଟରେ ଗତକାଲି ରାତି ପ୍ରାୟ୧୦ରେ ଘଟିଛି ଏହି ଅଘଟଣ।
ମୃତକ ଜଣଙ୍କ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନ(୪୮)।ମିଳିଥିବା ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ସେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୂଆସାହି ଅଞ୍ଚଳରେ ଥିବା ତାଙ୍କ ଶ୍ବଶୁର ଘରୁ କାରରେ ଫେରୁଥିଲେ। ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଟର୍ଣ୍ଣିଂପଏଣ୍ଟରେ ବିପରୀତ ଦିଗରୁ ଦୁଇଟି ବାଇକରେ ଆସୁଥିବା ୪ ଯୁବକଙ୍କ ସହ ସାଇଡ଼ମରାକୁ କେନ୍ଦ୍ରକରି ତାଙ୍କ ସହ ବଚସା ହୋଇଥିଲା। ଫଳରେ ୪ ଯୁବକ ରଂଜିତଙ୍କୁ କାରରୁ ଘୋଷାରି ନେଇ ମରଣାନ୍ତକ ଆକ୍ରମଣ କରିଥିଲେ।

ସ୍ଥାନୀୟ ଲୋକେ ରଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ତୁରନ୍ତ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଧରି ପଚରାଉଚରା ଜାରି ରହିଛି। ଏପଟେ ବାଲେଶ୍ୱର ଜିଲ୍ଲାରେ ରଞ୍ଜିତଙ୍କ ହତ୍ୟାକାଣ୍ଡକୁ ନେଇ ଦଳୀୟ ମହଲରେ ଶୋକର ଛାୟା ଖେଳିଯାଇଛି।

ସାମାନ୍ୟ ବଚସାରୁ ଶ୍ରୀ ପ୍ରଧାନଙ୍କୁ ଏଭଳି ନିର୍ମମ ହତ୍ୟା କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଏହି ହତ୍ୟା ମାମଲାରେ ପୁଲିସ ତିନି ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅଟକ ଅଭିଯୁକ୍ତମାନେ ହେଲେ ଆମ୍ୱପିଛୁଳା ଗ୍ରାମର ଲମ୍ୱୋଦର ବେହେରା, ଭାଗିରଥୀ ରାଉତ ଏବଂ ଭାଲିଆଡିହି ଗ୍ରାମର ରବୀନ୍ଦ୍ର ଆରୁଖ।

ସମ୍ବନ୍ଧିତ ଖବର