ଅନୁଗୁଳ: ଅତି ବୀଭତ୍ସ ଭାବେ ପତିପତ୍ନୀ ଓ ସେମାନଙ୍କର ୪ ବର୍ଷର ପୁଅକୁ ହତ୍ୟା କରିଥିବା ଦୁଇଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅତିରିକ୍ତ ସେସନ୍ସ ଜଜ୍‌ ଲକ୍ଷ୍ମୀନାରାୟଣ ରାୟ ଚୌଧୁରୀ। ଟଙ୍କା ହଡ଼ପ ପାଇଁ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କଳାପାଟନାଳି ଗାଁର ପ୍ରକାଶ ବେହେରା (୪୫) ଓ କିଶୋରନଗର ଥାନା ଗମ୍ଭାରୀମଳିହା ଗାଁର ନନ୍ଦକିଶୋର ସେଠୀ (୩୭) ଏହି ନୃଶଂସ ହତ୍ୟାକାଣ୍ଡ ଭିଆଇଥିଲେ। ଆଜି ଅଦାଲତ ଏହି ଦୁଇଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଉଭୟଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିଛନ୍ତି। 

Advertisment

ମାମଲାର ବିବରଣୀ ଅନୁସାରେ, ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ଗମ୍ଭ‌ାରୀମଳିହା ଗାଁର ତାରିଣୀ ନାୟକଙ୍କ ମୃତଦେହ ୨୦୧୭ ଅକ୍ଟୋବର ୧୦ ତାରିଖରେ ଘରେ ପଡ଼ିଥିଲା। ଘରର ଅନ୍ୟ ସଦସ୍ୟମାନେ ନିଖୋଜ ହୋଇଯାଇଥିଲେ। ଏ ସଂପର୍କରେ ତାରିଣୀଙ୍କ ଦିଅର ସୁଶାନ୍ତ ନାୟକ କିଶୋରନଗର ଥାନାରେ ଏତଲା ଦେବା ପରେ ପୁଲିସ ୯୧/୧୭ରେ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଥିଲା। ତଦନ୍ତ ସମୟରେ ମୃତ ମହିଳାଙ୍କ ସ୍ବାମୀ ବିରଞ୍ଚି ନାୟକ ଓ ତାଙ୍କ ୪ ବର୍ଷର ପୁଅର ବୀଭତ୍ସ ଶବ ପାଖ ଜଙ୍ଗଲରୁ ଉଦ୍ଧାର କରିଥିଲା ପୁଲିସ। ଯୋଜନାବଦ୍ଧ ଭାବେ ସ୍ବାମୀ-ସ୍ତ୍ରୀ ଓ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ବେଳେ ଅଳ୍ପକେ ସେମାନଙ୍କ ଛୋଟଝିଅ ବଞ୍ଚି ଯାଇଥିଲା। ପୁଲିସ ଅତି ଗମ୍ଭୀରତାର ସହ ମାମଲାକୁ ଗ୍ରହଣ କରି ତଦନ୍ତ ଆଗକୁ ବଢ଼ାଇଥିଲା। ଅପରାଧୀଙ୍କ ପାଖରେ ପହଞ୍ଚିବା ଲାଗି ତତ୍କାଳୀନ ଏସ୍‌ପି ବ୍ରିଜେଶ ରାୟ ବଛା ବଛା ପୁଲିସ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ।  

ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା, ଟଙ୍କା କାରବାର ପାଇଁ ଏହି ହତ୍ୟାକାଣ୍ଡ ହୋଇଛି। ଏକ ମହିଳା ଗ୍ରୁପ୍‌ରୁ ତାରିଣୀ ଟଙ୍କା ଉଠାଇଥିଲା ବେଳେ ଠାକୁରଗଡ଼ ଥାନା କଳାପାଟନାଳି ଗାଁର ପ୍ରକାଶ ବେହେରା(୪୫) ଓ କିଶୋରନଗର ଥାନା ଗମ୍ଭାରୀମଳିହା ଗାଁର ନନ୍ଦକିଶୋର ସେଠୀ(୩୭) ଉକ୍ତ ଟଙ୍କା ହଡ଼ପ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ସଫଳ ନ ହେବାରୁ ତାରିଣୀ ଓ ତାଙ୍କ ସ୍ବାମୀଙ୍କ ସମେତ ଦୁଇ ଛୁଆଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଅତି ବୀଭତ୍ସ ଭାବେ ୩ ଜଣଙ୍କୁ ହତ୍ୟା କରିଥିଲେ। ହେଲେ ରକ୍ତମୁଖା ହତ୍ୟାକାରୀଙ୍କ କବଳରୁ ସେତେବେଳେ ଦେଢ଼ବର୍ଷର ଛୋଟ ଝିଅଟି ରକ୍ଷା ପାଇଯାଇଥିଲା। 

ଏହି ଟ୍ରିପଲ ମର୍ଡର ଘଟଣାର ବିଚାରଣ ପ୍ରକ୍ରିୟା ଆଠମଲ୍ଲିକ ଅତିରିକ୍ତ ସେସନ୍ସ ଜଜ୍‌ ଲକ୍ଷ୍ମୀନାରାୟଣ ରାୟ ଚୌଧୁରୀଙ୍କ ଅଦାଲତରେ ଚାଲିଥିଲା। ଅପରାଧୀମାନେ ଜଣେ ଅସହାୟ ମହିଳା ଓ ଜଣେ ଶିଶୁଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ଏଣୁ ଏହା ବିରଳରୁ ବିରଳତମ ହତ୍ୟାକାଣ୍ଡ ବୋଲି କୋର୍ଟ ମତ ରଖିଥିଲେ। ସଂପତ୍ତି ପାଇଁ ୩ ଜଣଙ୍କୁ ହତ୍ୟା କରିଥିବା ଦୁଇ ହତ୍ୟାକାରୀଙ୍କୁ ଆଇପିସି ଧାରା ୩୦୨ରେ ଫାଶୀଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଓ ଆଇପିସି ଧାରା ୩୬୪ରେ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଏଥିସହ ଆଇପିସି ଧାରା ୨୦୧ ଅନୁସାରେ ଦୁଇ ମାସ ଜେଲ ଓ ୨୫ ହଜାର ଟଙ୍କା ଜରିମାନା କରାଯାଇଛି। ମୃତ ଦମ୍ପତିଙ୍କ ‌ଛୋଟ ଝିଅକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଯୋଗାଇ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।