ଯୁଯୁମୁରା / ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଘେନୁପାଲି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ର ନିର୍ଦ୍ଦେଶକ ତଥା ପୂର୍ବତନ ସଭାପତି ସୁରଥ ବଗର୍ତ୍ତୀ (୫୫) ହତ୍ୟା ଘଟଣା ନୂଆ ମୋଡ଼ ନେଇଛି। ଗୁରୁବାର ରାତିରେ ସଦର ଥାନା ଅନ୍ତର୍ଗତ ତାଙ୍କ ଗାଁ ହପ୍ରିୟାବାହାଲରେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ୨ ଜଣଙ୍କୁ ପୁଲିସ ଅଟକ ରଖିଥିବା ବେଳେ ଶନିବାର ଗାଁର ମହିଳାମାନେ ଥାନା ଘେରାଉ କରି ସେମାନଙ୍କୁ ଛାଡ଼ିବାକୁ ଦାବି କରିଥିଲେ। ସୁରଥ ଅତ୍ୟାଚାର କରୁଥିଲେ। ଘର ଭିତରେ ରାତି ଅଧରେ ପଶିଥିବାରୁ ଆମେ ତାକୁ ମାଡ଼ ମାରିଥିଲୁ ବୋଲି ମହିଳାମାନେ କହିଛନ୍ତି। ଏ ନେଇ ଶନିବାର ମହିଳାମାନେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ଜଣେ ମହିଳା କହିଛନ୍ତି, ତାଙ୍କ ସ୍ବାମୀ ନାହାନ୍ତି। ସୁରଥ ରାତି ଅଧରେ ଘରେ ପଶି ଅସଦାଚରଣ ଉଦ୍ୟମ କରିଥିଲେ। ଜୋରଜରଦସ୍ତି କରୁଥିଲେ। ସେ ଓ ତାଙ୍କ ପିଲା ପାଟି କରିବାରୁ ପଡ଼ାର ମହିଳାମାନେ ଉଠି ଘରକୁ ଆସିଥିଲେ ଏବଂ ସୁରଥକୁ ସମସ୍ତେ ମିଶି ମାଡ଼ ମାରିଥିଲେ। ପରେ ତାଙ୍କ ମୃତ୍ୟୁ ଘଟିଥିବା ଜାଣିଥିଲେ ବୋଲି ମହିଳା କହିବା ସହ ଦୋଷ କେବଳ ଆମକୁ ଦିଆଯାଉଛି ବୋଲି ଅଭିଯୋଗ ଆଣିଥିଲେ। ଏଥିରେ କେବଳ ଆମର‌ ଭୁଲ ଦେଖାଯାଉଛି। ସେ ଘରକୁ ପଶି ଅସଦାଚରଣ ଉଦ୍ୟମ କରିବାରୁ ଏଭଳି ଅଘଟଣ ଘଟିଗଲା ବୋଲି ମହିଳାମାନେ କହିବା ସହ ଘଟଣାର ଉଚିତ ତଦନ୍ତ କରିବାକୁ ଦାବି କରିଛନ୍ତି।

ସୁରଥଙ୍କ ଭାଇ ଶତ୍ରୁଘ୍ନ ବଗର୍ତ୍ତୀଙ୍କ ଏତଲା ଅନୁଯାୟୀ ରାତି ୨ଟାରେ ତାଙ୍କ ଭାଇ ସୁରଥଙ୍କୁ ଓରାମପଡ଼ା କ୍ଲବ୍‌ ନିକଟରେ ଦୁର୍ବୃତ୍ତମାନେ ମାଡ଼ ମାରି ପକାଇ ଦେଇଥିଲେ। ସେ ଘଟଣାସ୍ଥଳକୁ ଯାଇ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଓରାମ ପଡ଼ାର କିଛି ଲୋକ ସୁରଥଙ୍କୁ ପିଟିପିଟି ହତ୍ୟା କରିଥିବା ନେଇ ତାଙ୍କ ଶତ୍ରୁଘ୍ନ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।