କଟକ: ଆଇନଜୀବୀ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ହତ୍ୟା କରିବା ଘଟଣାର ପ୍ରତିବାଦରେ ଅକ୍ଟୋବର ୮ ବୁଧବାର ଦିନ ସାରା ରାଜ୍ୟର ଆଇନଜୀବୀମାନେ ସଂପୂର୍ଣ୍ଣ କଲମ ଛାଡ଼ କରିବେ। ସୋମବାର ରାତିର ଘଟଣା ପରେ ଆଜି ରାଜ୍ୟ ଆଇନଜୀବୀ ପରିଷଦର ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଜାରି ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଉଛି। ବୁଧବାର ରାଜ୍ୟର ସମସ୍ତ ଆଇନଜୀବୀ ସଂପୂର୍ଣ୍ଣ କଲମ ଛାଡ଼ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ, ମୃତ ଆଇନଜୀବୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ, ତଦନ୍ତ ପାଇଁ ଉଚ୍ଚସ୍ତରୀୟ ବିଚାରବିଭାଗୀୟ କମିସନ ଗଠନ ପାଇଁ ପରିଷଦ ତରଫରୁ ଦାବି କରାଯାଇଛି। କେଉଁ ପରିସ୍ଥିତିରେ ଆଇନଜୀବୀଙ୍କୁ ହତ୍ୟା କରାଯାଇଥିଲା, ଏହା ପଛର କାରଣ ଓ ଷଡ୍ଯନ୍ତ୍ର ପ୍ରସଙ୍ଗରେ ବିଚାରବିଭାଗୀୟ କମିସନ ଦ୍ବାରା ତଦନ୍ତ କରି ତିନି ମାସ ଭିତରେ ରିପୋର୍ଟ ଦାଖଲ କରାଯାଉ ବୋଲି ପରିଷଦ ତରଫରୁ କୁହାଯାଇଛି। ଅନ୍ୟପଟରେ ଜଣେ ଆଇନଜୀବୀଙ୍କୁ ତାଙ୍କ ଘର ସମ୍ମୁଖରେ ଯେପରି ହତ୍ୟା କରାଗଲା ତାହା ଦୁର୍ଭାଗ୍ୟଜନକ। ଏହା ବାର୍ର ସ୍ବାଧୀନତା ଉପରେ ସିଧାସଳଖ ଆକ୍ରମଣ। ଆଇନଜୀବୀ ସୁରକ୍ଷା ଆଇନ ଅନୁସାରେ ଆଇନଜୀବୀଙ୍କ ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ବିଚାରପତି, ଆଇନ ମନ୍ତ୍ରୀ, ବାର୍ କାଉନସିଲ୍ ଅଫ ଇଣ୍ଡିଆ ଅଧ୍ୟକ୍ଷ, ଆଡଭୋକେଟ୍ ଜେନେରାଲ୍ଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଗୃହୀତ ପ୍ରସ୍ତାବ ସଂକ୍ରାନ୍ତରେ ଅବଗତ କରାଯାଇଛି।
ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ସ୍ବର୍ଗତ ପଣ୍ଡାଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ମଧ୍ୟ ଜ୍ଞାପନ କରିଛନ୍ତି। ଏହି ହତ୍ୟା ଘଟଣାକୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ(ବିସିଆଇ) ମଧ୍ୟ ନିନ୍ଦା କରିଛି। ଏ ନେଇ ବିସିଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ଆଜିର ବୈଠକରେ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁମୋହନ ଦ୍ବିବେଦୀ, ଉପାଧ୍ୟକ୍ଷ ରାଜୀବ କୁମାର ମହାନ୍ତି, ବିସିଆଇରେ ପରିଷଦର ପ୍ରତିନିଧି ଭକ୍ତଭୂଷଣ ବାରିକ, ସଦସ୍ୟ ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ଧଳ, ବିଭୁପ୍ରସାଦ ଦାସ, ଅକ୍ଷୟ କୁମାର ପତି, ଆତ୍ମାପ୍ରକାଶ ମହାନ୍ତି, ସୌରଚନ୍ଦ୍ର ମହାପାତ୍ର, ଅରୁପାନନ୍ଦ ଦାସ, ଦେବଦତ୍ତ ମିଶ୍ର, ଦୀନେଶଚନ୍ଦ୍ର ରାୟ, ପ୍ରସନ୍ନକୁମାର ପାଢ଼ୀ, ସଂଜିତ କୁମାର ପାଣିଗ୍ରାହୀ, ଗିରିଜାଶଙ୍କର ମିଶ୍ର, ମାନସ କୁମାର ଚାନ୍ଦ, ଗିରିଧାରୀ ମହାପାତ୍ର, ନୃସିଂହଚରଣ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପଟେଲ, ବିଭୁପ୍ରସାଦ ତ୍ରିପାଠୀ, ଜ୍ଞାନରଂଜନ ମହାନ୍ତି, ପି.ରମେଶ ପାତ୍ର, ଅକ୍ଷୟ କୁମାର ସାମନ୍ତରାୟ, ଧନଞ୍ଜୟ ମୁଣ୍ଡ, ତପନ କୁମାର ବିଶ୍ବାଳ ଉପସ୍ଥିତ ଥିଲେ।
ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର୍!, ୯ ଏମ୍ଏମ୍ ପିସ୍ତଲରୁ ଅତି ନିକଟରୁ ଗୁଳି
ମେରୁଦଣ୍ଡରୁ ଗୁଳି ବାହାରିଲା
ଛୁଟି ବାତିଲ କରି ସ୍ବତନ୍ତ୍ର ଟିମ୍ ଗଢ଼ିଲେ ଏସ୍ପି