ବ୍ରହ୍ମପୁର : ସୁରତରେ ଗଞ୍ଜାମ ଜିଲ୍ଲାର ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା। ସୁରତ ପୁଲିସ ହତ୍ୟାକାରୀ ମୁକେଶ ପ୍ରଜାପିତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୁକେଶ ବର୍ତ୍ତମାନ ଜେଲ୍‌ରେ ଅଛି। ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ତ୍ବରିତ ବିଚାରଣା କରି ହତ୍ୟାକାରୀକୁ ଫାଶୀଦଣ୍ଡରେ ଦଣ୍ଡିତ କରିବାକୁ ଗଞ୍ଜାମ ଜିଲ୍ଲାର ବିଜେପି ନେତା ଶ୍ରୀକାନ୍ତ ପାଢ଼ୀଙ୍କ ସମେତ ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଦାବି କରିଛନ୍ତି। ଏମର୍ମରେ ଶ୍ରୀ ପାଢ଼ୀ ଗୁଜରାଟ ଗାନ୍ଧୀନଗର ସ୍ଥିତ ସଚିବାଳୟରେ ଗୃହମନ୍ତ୍ରୀ ହର୍ଷଭାଇ ସଂଘବୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ମାମଲାର ତ୍ବରିତ ବିଚାରଣା ଆରମ୍ଭ କରିବା ସହିତ ଦୋଷୀ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଗୃହମନ୍ତ୍ରୀ କହିଥିଲେ। ଏହି ପଦକ୍ଷେପ ପାଇଁ ଶ୍ରୀ ପାଢ଼ୀ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

Advertisment

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ ଇଲାକାର ଏକ ପରିବାର ସୁରତ କତାରଗାଁ ବେଡ୍‌ରୋଡ଼ ସ୍ଥିତ ତିରୁପତି ସୋସାଇଟିରେ ରହୁଥିଲେ। ବାପା, ମା’ ଓ ୪ଝିଅ ଏକ ଘରେ ରହୁଥିଲେ। ତେବେ ଗତମାସ ୭ତାରିଖ ମଧ୍ୟାହ୍ନରୁ ନିଖୋଜ ଥିବା ସାନ ଝିଅର ମୃତଦେହ ରାତିରେ ପଡ଼ୋଶୀଙ୍କ ଘରୁ ଅଖା ବସ୍ତାରେ ବନ୍ଧାହୋଇ ଥିବା ଅବସ୍ଥାରେ ଚୌକ୍‌ ବଜାର ଥାନା ପୁଲିସ ଜବତ କରିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସୁରତରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ରାତିରେ ସୁରତ କ୍ରାଇମ୍‌ବ୍ରାଞ୍ଚ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତ ମୁକେଶକୁ ଗିରଫ କରିଥିଲା। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣାରେ ପୁଲିସ ପ୍ରଜାପିତାକୁ କୋର୍ଟ ଚାଲାଣ କରିଥିଲା।