ଝାରସୁଗୁଡ଼ା / ସୁନ୍ଦରଗଡ଼/ରାଉରକେଲା: ପ୍ରଥମେ ନାବାଳିକାଙ୍କୁ ଦୁଷ୍କର୍ମ, ପରେ ବିବାହ ପ୍ରତିଶ୍ରୁତି ଦେଇ ଏକାଧିକଥର ଶାରୀରିକ ସମ୍ପର୍କ ରଖିବା ପରେ ଫେରାର୍ ହୋଇଗଲା ଯୁବକ। ପୀଡ଼ିତା ଥାନାର ଦ୍ବାରସ୍ଥ ହେବା ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ ବି କଲା। ଜାମିନ୍ରେ ମୁକୁଳିବା ପରେ କାଳେ ପୀଡ଼ିତାଙ୍କ ସାକ୍ଷ୍ୟ ଆଧାରରେ ସାରା ଜୀବନ ଜେଲ୍ରେ କାଟିବାକୁ ପଡ଼ିବ, ସେହି ଭୟରେ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କଲା ଅଭିଯୁକ୍ତ। ତଣ୍ଟିକାଟି ଯୁବତୀଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ନଦୀ, ପୋଖରୀରେ ଫିଙ୍ଗିଦେଲା। ଏଭଳି ଏକ ଲୋମହର୍ଷଣକାରୀ ଘଟଣାର ପର୍ଦ୍ଦାଫାସ କରିଛି ଝାରସୁଗୁଡ଼ା ପୁଲିସ। ଆଜି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ଓ ଝାରସୁଗୁଡ଼ା ଏସ୍ପି ସ୍ମିତ୍ ପି ପରମାର ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ନୂଆଡିହିର କୁନୁ କିଷାନ(୨୪)କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନାବାଳକ(୧୭)କୁ ଅଟକ ରଖଛି। କିଭଳି ଭାବେ ଏହି ମାମଲାର ତ୍ବରିତ ବିଚାର ପ୍ରକ୍ରିୟା ଆରମ୍ଭ ହେବ ଏବଂ ଦୋଷୀ ଦଣ୍ଡ ପାଇବେ, ସେ ନେଇ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ଆଇଜି ଶ୍ରୀ ଲାଲ୍ କହିଛନ୍ତି।
ହତ୍ୟାକାଣ୍ଡରେ ବ୍ୟବହୃତ ଚାପଡ଼ ଓ ବାଇକ୍ ଜବତ
ପୁଲିସ ସୂଚନା ଅନୁସାରେ, ୨୦୨୩ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନାଞ୍ଚଳରେ ରହୁଥିବା ସମୟରେ ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଥିଲେ। ସେତେବେଳେ ସେ ନାବାଳିକା (୧୭ ବର୍ଷ) ଥିଲେ। ଏହି ଘଟଣାରେ ଧରୁଆଡିହି ପୁଲିସ୍ ଏକ ମାମଲା ରୁଜୁ କରି ୨୦୨୩ ଅଗଷ୍ଟ ୨୭ ତାରିଖରେ ଅଭିଯୁକ୍ତ କୁନୁ କିଷାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୨୩ ଡିସେମ୍ବର ୪ ତାରିଖରେ ସେ ସର୍ତ୍ତମୂଳକ ଜାମିନ୍ରେ ଆସିଥିଲା, କିନ୍ତୁ ନିର୍ଦ୍ଧାରିତ ମାସକ ପରେ କୋର୍ଟରେ ହାଜିରା ଦେଇ ନ ଥିଲା। ପରେ ଅଭିଯୁକ୍ତ କୁନୁ ବିରୋଧରେ ଏନ୍ବିଡବ୍ଲ୍ୟୁ ଜାରି ହୋଇଥିବା ବେଳେ ସେ ଫେରାର୍ ହୋଇଯାଇଥିଲା। ଇତିମଧ୍ୟରେ ସେ ପୀଡ଼ିତାଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଗତ ୭ ତାରିଖରେ ସେ ଝାରସୁଗୁଡ଼ାରେ ରହି କାମ କରୁଥିବା ଉକ୍ତ ଯୁବତୀଙ୍କ ପାଖକୁ ଆସି କୌଣସି ମତେ ତାଙ୍କ ସହ କଥାବାର୍ତ୍ତା ହୋଇଥିଲା। ପୂର୍ବ କଥା ଭୁଲି କୁନୁ ସହିତ ଯୁବତୀ (୧୮) ବାଇକ୍ରେ ବସି ସୁନ୍ଦରଗଡ଼ ଅଭିମୁଖେ ବାହାରି ଯାଇଥିଲେ। ତେବେ ଅଭିଯୁକ୍ତ କୁନୁ ଉକ୍ତ ଯୁବତୀଙ୍କୁ ୧୪୩ ନଂବର ଜାତୀୟ ରାଜପଥର ରାଉରକେଲା-ଦେବଗଡ଼ ରାସ୍ତାର ଲାଠିକଟା ଥାନାଠାରୁ କିଛି ଦୂରରେ ଏକ ନିକାଞ୍ଚନ ସ୍ଥାନରେ ପ୍ରଥମେ ତଣ୍ଟି କାଟି ହତ୍ୟା କରିଥିଲା।
ଏହା ପରେ ଶବକୁ ୬ ଖଣ୍ଡ କରିଥିଲା। ଶରୀର ଗଣ୍ଡିକୁ ରଘୁନାଥପାଲି ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀରେ ଫିଙ୍ଗିଥିବା ବେଳେ ତରକେରାର ଗାଢ଼ାଟୋଲା ନାଳରେ ଗୋଡ଼, ହାତ ଫିଙ୍ଗିଥିଲା। ସେଠାରୁ କିଛି ବାଟ ଆଗରେ ଅର୍ଦ୍ଧଦଗ୍ଧ ମୁଣ୍ଡକୁ ଫିଙ୍ଗି ଦେଇଥିଲା। ସେପଟେ ୭ ତାରିଖ ରାତିରେ ଯୁବତୀ ଘରକୁ ନ ଫେରିବାରୁ ପରିବାର ଲୋକେ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ଫଳରେ ପୁଲିସ୍ ଏକ ଷ୍ଟେସନ ଡାଏରି କରି ତଦନ୍ତ ଆରମ୍ଭ କରିଥିଲା। ସହରରେ ଲାଗିଥିବା ମୁହଁ ଚିହ୍ନଟକାରୀ (ଫେସ୍ ରିକଗ୍ନିସନ୍) କ୍ୟାମେରା ସହାୟତାରେ ଛାନ୍ଭିନ୍ ବେଳେ ଯୁବତୀଙ୍କୁ ବାଇକ୍ରେ ବସାଇ ନିଆଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଆଧାରରେ ପୁଲିସ୍ ଲେଫ୍ରିପଡ଼ାରୁ ଅଭିଯୁକ୍ତକୁ ଧରି ପଚରାଉଚରା କରିବା ପରେ ସମସ୍ତ ଘଟଣା ସାମନାକୁ ଆସିଥିଲା। ଆଜି ସକାଳେ ଅଭିଯୁକ୍ତର ସୂଚନା ଆଧାରରେ ବ୍ରାହ୍ମଣୀ ନଦୀରେ ଓଡ୍ରାଫ ଟିମ୍ ପହଞ୍ଚି ଶବ ଖୋଜିଥିଲେ। ଯୁବତୀ ପିନ୍ଧିଥିବା ଲୁଗା, ଅଳଙ୍କାର ଆଧାରରେ ପରିବାର ଲୋକେ ତାଙ୍କୁ ଚିହ୍ନଟ କରିଥିଲେ। ତଥାପି ଯୁବତୀଙ୍କର ପରିଚୟ ପାଇଁ ଡିଏନ୍ଏ ପ୍ରୋଫାଇଲିଂ କରାଯିବ ବୋଲି ଏସ୍ପି ଶ୍ରୀ ପରମାର୍ କହିଛନ୍ତି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଚାପଡ଼, ବାମରାରେ ଲୁଚାଯାଇଥିବା ବାଇକ୍କୁ ଜବତ କରାଯାଇଛି। ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ତଦନ୍ତ ଜାରି ରହିଛି। ଅଧିକ ପ୍ରମାଣ ସଂଗ୍ରହ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ନିକଟରେ ଆବେଦନ କରାଯିବ ବୋଲି ଏସ୍ପି ଶ୍ରୀ ପରମାର କହିଛନ୍ତି।