ସୋର ଯୁବକଙ୍କୁ ସୁରଟରେ ହତ୍ୟା

ସୋର: ସୋମବାର ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ବାଳଙ୍ଗ ଗ୍ରାମର ଜଣେ ଯୁବକଙ୍କୁ ଗୁଜରାଟ ସୁରଟରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଗ୍ରାମର ହରପ୍ରସାଦ ରାଉତଙ୍କ ପୁଅ ଜୀବନ (୨୯) ସୁରଟ ମାଗତାଲା କ୍ରସ୍‌ ନିକଟରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲ୍‌ରେ କ୍ୟାସିଅର ଭାବେ କାର୍ଯ୍ୟ କରୁଥିଲେ। ତେବେ ଗତକାଲି ଜୀବନ ହୋଟେଲ୍‌ରୁ ୨୩ ଲକ୍ଷ ଟଙ୍କା ନେଇ ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ରାସ୍ତାରେ ଅଟକାଇ ପ୍ରାଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟି ନେଇଥିଲେ।

ସେପଟେ ସେହିଦିନ ଜୀବନଙ୍କ ମୃତଦେହ ସେ କାମ କରୁଥିବା ହୋଟେଲ୍‌ର ତଳ ମହଲାରେ ଏକ ବ୍ୟାଗ୍‌ରୁ ଉଦ୍ଧାର ହୋଇଥିଲା। ପଚରାଉଚରା ପରେ ସୁରଟ ପୁଲିସ ଜୀବନଙ୍କୁ ହତ୍ୟା କରି ଟଙ୍କା ଲୁଟିଥିବା ଅଭିଯୋଗରେ ହୋଟେଲରେ କାର୍ଯ୍ୟ କରୁଥିବା ଆସିଷ୍ଟାଣ୍ଟ ମ୍ୟାନେଜର ଓ ହାଉସ୍‌ କିପରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୪ ଲକ୍ଷ ଟଙ୍କା ଜବତ କରିଛି। ଘଟଣାରେ ଜୀବନଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ସୋର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର