ଶିକ୍ଷକଙ୍କୁ ହତ୍ୟା ଘଟଣା: ସ୍କୁଲରୁ ମିଳିଲା ଟଙ୍କା ଓ ସୁନା

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଢେଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ସାତଦିନ ବିତି ଯାଇଥିବା ବେଳେ ପୁଲିସ ହତ୍ୟାକାରୀ ନିକଟରେ ପହଞ୍ଚି ପାରିନାହିଁ। ଅନ୍ୟପକ୍ଷରେ ଏହି ମାମଲାରେ ଦିନକୁ ଦିନ ରୋଚକ ଘଟଣା ପଦାକୁ ଆସୁଛି। ଆଜି ପୁଲିସ ଢେଙ୍କା ହାଇସ୍କୁଲରେ ଥିବା ଶିକ୍ଷକଙ୍କ ବ୍ୟକ୍ତିଗତ ଆଲମିରା ଭାଙ୍ଗି ସେଥିରୁ ୧୨ହଜାର ଟଙ୍କା, ପ୍ରାୟ ୧୦ ଭରି ସୁନା ଏବଂ କିଛି ମୋବାଇଲ ନମ୍ବର ଲେଖାଥିବା ଏକ ଖାତା ଜବତ କରିଛି।

ଇଞ୍ଚୋଳ ଗ୍ରାମର ଅନିରୁଦ୍ଧ ସ୍ୱାଇଁ ଢେଙ୍କା ହାଇସ୍କୁଲରେ ଶିକ୍ଷକତା କରୁଥିଲେ। ମରୈଗାଁ ଛକରେ ଘର ଭଡ଼ା ନେଇ ରହୁଥିଲେ। ୧୩ ତାରିଖ ରାତିରେ ଭଡ଼ାଘରେ କେହି ଦୁର୍ବୃତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣି ହତ୍ୟା କରିଥିଲା। ହତ୍ୟା କରିବା ପରେ ଶିକ୍ଷକଙ୍କ ହେଲ୍‌ମେଟ୍‌, ସ୍କୁଟି ଓ ତାଙ୍କ ମୋବାଇଲ ନେଇ ଦୁର୍ବୃତ୍ତ ପଳାଇ ଯାଇଥିଲା। ଦୀର୍ଘ ସାତଦିନ ହେଲା ପୁଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ ଅଭିଯୁକ୍ତ ପାଖରେ ପହଞ୍ଚିବାରେ ବିଫଳ ହୋଇଛି। ହତ୍ୟାକାରୀ ମୃତ ଶିକ୍ଷକଙ୍କ ଅତି ପରିଚିତ ଓ ଜଣାଶୁଣା ବୋଲି ଅନୁମାନ କରାଯାଉଛି। ପୁଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି। ଆଜି ଢେଙ୍କା ହାଇସ୍କୁଲ୍‌ରେ ପହଞ୍ଚି ପୁଲିସ ଶିକ୍ଷକଙ୍କ ଆଲମିରା ଭାଙ୍ଗିଥିଲା। ସେଥିରୁ ଟଙ୍କା, ସୁନା ଓ ମୋବାଇଲ ନମ୍ବର ଲେଖାଥିବା ଏକ ଖାତା ମିଳିଥିଲା।

ଫଳରେ ଶିକ୍ଷକ ଜଣଙ୍କ ବିଭିନ୍ନ ଲୋକଙ୍କୁ ଟଙ୍କା କରଜ ଦେଇଥିବା ଅନୁମାନ କରାଯାଉଛି। ଉକ୍ତ ଖାତାରେ ଲେଖାଥିବା ମୋବାଇଲ ନମ୍ବରକୁ ଯୋଗାଯୋଗ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଗଲେ ସେମାନଙ୍କ ଠାରୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ପୁଲିସ ଆଶା ବାନ୍ଧିଛି।  ଅନ୍ୟପକ୍ଷରେ ଅଭିଯୁକ୍ତ ଶିକ୍ଷକଙ୍କ ସ୍କୁଟିକୁ ସଢ଼ା ଗାଁ ନିକଟସ୍ଥ କେନାଲରେ ପକାଇଦେଇଥିବା ପୁଲିସ ପାଇଥିଲା। ଗତକାଲି ଜଳସମ୍ପଦ ବିଭାଗ ପକ୍ଷରୁ କେନାଲରେ ପାଣି କମାଯିବା ପରେ ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ ବେହେରା ଓ ଆଇଆଇସି ଗଗନ ବିହାରୀ ବିଶ୍ୱାଳଙ୍କ ଉପସ୍ଥିତିରେ ହାଟଡିହି ଅଗ୍ନିଶମ ବିଭାଗ କର୍ମଚାରୀମାନେ ଖୋଜାଖୋଜି କରିଥିଲେ। କିନ୍ତୁ ସ୍କୁଟି ପାଇ ନଥିଲେ। ଏବେ ପୁଲିସ ସାଇଫନରୁ ପାଣି ଶୁଖାଇ ସ୍କୁଟି ଖୋଜିବାକୁ ଯୋଜନା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର