କଟକ: ଗୁଣିଗାରେଡ଼ି ସନ୍ଦେହରେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଟଲଣା ପଞ୍ଚାୟତ ଅନ୍ତର୍ଗତ କିତୁ˚ ଗ୍ରାମରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣ ଦୋଷୀଙ୍କ ଫାଶୀଦଣ୍ତ ଆଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। ୨୦୨୧ ଅକ୍ଟୋବର ୨୧ରେ ରାୟଗଡ଼ା ଦୌରା ଜଜ୍ ଅଦାଲତ ଡେଙ୍ଗୁନ ଶବର, ଦାଷୁନ୍ତ ଶବର, ଅଜନ୍ତା ଶବର, ପ୍ରଧାନ୍ତୁ ଶବର, ଦାଲସା ଶବର, ମାଲକୁ ଶବର, ବୁବୁନା ଶବର, ଲାକିୟା ଶବର, ଇରୁ ଶବରଙ୍କୁ ଫାଶୀଦଣ୍ଡ ଆଦେଶ ଦେଇଥିଲେ। ନିମ୍ନ ଅଦାଲତଙ୍କ ମୃତ୍ୟୁଦଣ୍ଡ ରାୟ ଅନୁମୋଦନ ସଂପର୍କିତ ମାମଲା(ଡିଏସ୍‌ଆର୍‌ଇଏଫ୍) ଓ ଏହି ରାୟ ବିରୋଧରେ ଦାୟର ଅପିଲ୍‌ର ହାଇକୋର୍ଟ ଏକତ୍ର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ୯ ଜଣଙ୍କୁ ଆଇପିସିର ଦଫା ୩୪୨, ୩୬୪, ୩୬୫, ୨୦୧, ୫୦୬, ୩୦୨, ୩୪ରେ ଦୋଷୀ ସାବ୍ୟସ୍ତ କରି ନିମ୍ନ ଅଦାଲତ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ କାଏମ ରଖିଥିଲେ ମଧ୍ୟ ମୃତ୍ୟୁଦଣ୍ଡ ଅସଂଗତ ବୋଲି ମତ ଦେଇଛନ୍ତି। ଏ କ୍ଷେତ୍ରରେ ଆଜୀବନ କାରାଦଣ୍ଡ ଉପଯୁକ୍ତ ବୋଲି ହାଇକୋର୍ଟ କହିଛନ୍ତି। ଦୋଷୀମାନେ ‌ଜୀବନର ଅବଶିଷ୍ଟ ସମୟ ଜେଲଦଣ୍ଡ ଭୋଗ କରିବେ। ସେମାନଙ୍କ ଦଣ୍ଡ କ୍ଷମା ବା କୋହଳ କରାଯିବ ନାହିଁ।

Advertisment

ଅନ୍ୟପକ୍ଷରେ ଓଡ଼ିଶା ପ୍ରିଭେନସନ୍ ଅଫ୍ ୱିଚ୍ ହଣ୍ଟିଂ ଆଇନର ଧାରା ୪ରେ ରହିଥିବା ଅଭିଯୋଗରୁ ଅସାମୀଙ୍କୁ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି। ପୀଡ଼ିତ ପରିବାରକୁ ପ୍ରତି ମୃତ୍ୟୁ ପାଇଁ ୧୦ ଲକ୍ଷ ଟଙ୍କା ଏଭଳି ଭାବେ ମୋଟ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପୀଡ଼ିତ କ୍ଷତିପୂରଣ ଯୋଜନାରେ ପ୍ରଦାନ କରାଯିବାକୁ ଥିବା ଏହି ରାଶି ହତ୍ୟାର ଶିକାର ଅସୀନ ଶବର ଓ ଆମବାୟା ଶବରଙ୍କ ଦୁଇ ଝିଅ ଓ ଗୋଟିଏ ପୁଅଙ୍କୁ  ସମାନ ଭାବେ ପ୍ରଦାନ କରାଯିବ। ରାୟଗଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଚାରି ସପ୍ତାହ ଭିତରେ ଏହି ପ୍ରସଂଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ୍‌ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। 

ପୀଡ଼ିତଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଜି ମାମଲାର ରାୟ ପ୍ରକାଶ ବେଳେ ଜେଲରେ ଥିବା ସମସ୍ତ ଆସାମୀଙ୍କୁ ଭର୍ଚୁଆଲ ବ୍ୟବସ୍ଥାରେ ହାଜର କରାଯାଇଥିଲା। ଜେଲ ପରିସରରେ ଥିବା ଭିଡିଓ କନଫରେନ୍ସିଂ କକ୍ଷରେ ରହି ଆସାମୀମାନେ ନିଜ ମାମଲାର ରାୟ ଶୁଣିଥିଲେ। ଅଭିଯୁକ୍ତମାନଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ହିମାଂଶୁ ଭୂଷଣ ଦାଶ, ମାନସ କୁମାର ଚାନ୍ଦ ଓ ସରକାରଙ୍କ ପକ୍ଷରୁ ଲଢୁଥିବା ଅତିରିକ୍ତ ସରକାରୀ ଓକିଲ ଅରୁପାନନ୍ଦ ଦାସଙ୍କୁ ସହଯୋଗ ପାଇଁ ହାଇକୋର୍ଟ ପ୍ରଶଂସା କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମାମଲାରେ ଗୁଣପୁର ଅତିରିକ୍ତ ଦୌରା ଜଜ୍ ୨୦୧୮ ଏପ୍ରିଲ ‌୨୩ରେ ଏହି ୯ଜଣଙ୍କୁ ଫାଶୀଦଣ୍ଡ ପ୍ରଦାନ କରିଥିବା ବେଳେ ହାଇକୋର୍ଟ ଏହି ରାୟକୁ ରଦ୍ଦ କରିଥିଲେ। ଏଥି ସହିତ ମାମଲାର ସାନି ଶୁଣାଣି କରିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ୨୦୧୯ ନଭେମ୍ବର ୫ରେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାୟଗଡ଼ା ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ମାମଲାର ସାନି ଶୁଣାଣି ହୋଇଥିଲା। ମାମଲାର ପୁନର୍ବାର ଶୁଣାଣି କରି ୨୦୨୧ ଅକ୍ଟୋବର ୨୧ରେ ରାୟଗଡ଼ା ଦୌରା ଜଜ୍ ଅଦାଲତ ୯ ଜଣଙ୍କୁ ପୁଣି ଫାଶୀଦଣ୍ଡ ଶୁଣାଇଥିଲେ। ସୂଚନାଯୋଗ୍ୟ ଯେ ୨୦୧୬ ସେପ୍ଟେମ୍ବର ୯ ରାତି ପ୍ରାୟ ୭ଟା ୧୫ରେ ଗୁଣିଗାରେଡ଼ି ସନ୍ଦେହରେ ଅସୀନ ଶବର, ପତ୍ନୀ ଆମବାୟା ଶବର ଓ ବଡ଼ଝିଅ ଆଶମଣି ଶବରଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ୨୦୧୬ ସେପ୍ଟେମ୍ବର ୧୬ରେ ପୁଲିସ ଏତଲା ରୁଜୁ କରିଥିଲା। ପର୍ଯ୍ୟାୟକ୍ରମେ ହତ୍ୟାକାଣ୍ତରେ ସ˚ପୃକ୍ତ ୧୦ଜଣଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ମଧୢରୁ ଜଣେ ନାବାଳକ ଥିଲା। ୨୦୧୭ ଜାନୁଆରି ୧୨ରେ ଚାର୍ଜସିଟ ଦାଖଲ ପରେ ଏହି ହତ୍ୟା ମାମଲାର ଶୁଣାଣି ଅଦାଲତରେ ଆରମ୍ଭ ହୋଇଥିଲା।