ସୋର/ଔପଦା: ଗୁଣିଗାରେଡ଼ି ସନ୍ଦେହରୁ ବଚସା ଆଉ ତା’ପରେ ଗଣହତ୍ୟା। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ବଡ଼ପୋଖରୀ ଗାଁ’ରେ। ଯେଉଁଠି କିଛି ଲୋକ ମିଶି ଦମ୍ପତିଙ୍କ ସହ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ପିଟିପିଟି ମାରି ଦେଇଥିଲେ। କେବଳ ସେତିକି ନୁହେଁ, ଏହି ଜଘନ୍ୟ ପାପକୁ ଲୁଚାଇବା ପାଇଁ ଗାଁ’ର କିଛି ଲୋକ ସହଯୋଗ କରିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଶବ ଚିହ୍ନବର୍ଣ୍ଣ ଲିଭାଇବାକୁ ଅଭିଯୁକ୍ତମାନେ ପାହାଡ଼ ଉପରେ ଘଞ୍ଚ ଜଙ୍ଗଲରେ ମୃତଦେହ ଫିଙ୍ଗି ଦେଇଥିଲେ।
ଖବର ଅନୁସାରେ, ଔପଦା ଥାନା ବଡ଼ପୋଖରୀ ଗାଁ’ରେ ଗତ ରବିବାର ସନ୍ଧ୍ୟାରେ ଏକ ଭୋଜି ହୋଇଥିଲା। ଗାଁ ଲୋକେ ଭୋଜି ଖାଇବା ବେଳେ ଜଣେ ମହିଳା ଗୁଣିଗାରେଡ଼ି କରୁଥିବା ନେଇ ଟୁପୁରୁଟାପୁରୁ ହୋଇଥିଲେ। ଏହାକୁ ନେଇ ଦୁଇ ସାହିର ଲୋକଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗଣ୍ଡଗୋଳ ହୋଇଥିଲା। କିଛି ଲୋକ ମିଶି ଗୋଟିଏ ସାହିର ଦାମ୍ପା ସିଂ’ଙ୍କୁ ମାରପିଟ୍ କରିଥିଲେ। ଏହି ସମୟରେ ଦାମ୍ପାଙ୍କ ପତ୍ନୀ ସୁକାନ୍ତି ସିଂ ଓ ଅନ୍ୟ ଜଣେ ମହିଳା ସୋମବାରୀ ସିଂ ଦାମ୍ପାଙ୍କୁ ଉଦ୍ଧାର କରିବାକୁ ଆସି ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲେ। ଅଭିଯୁକ୍ତମାନଙ୍କ ପ୍ରାଣାନ୍ତକ ଆକ୍ରମଣରେ ସେଠାରେ ୩ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଯାହାକୁ ନେଇ ଗାଁ’ରେ ପଡ଼ିଯାଇଥିଲା ଭାଳେଣି। ଗାଁର କିଛି ପୁରୁଖା ବ୍ୟକ୍ତି କହିଥିଲେ, ଘଟଣା ବାବଦରେ କେହି କେଉଁଠି ପ୍ରକାଶ କରିବେ ନାହିଁ। ପରେ ମାଡ଼ ମାରିଥିବା ଲୋକମାନେ ଶବଗୁଡ଼ିକୁ ଗାଏବ କରିବା ପାଇଁ ଯୋଜନା କରିଥିଲେ। ବାଉଁଶରେ ମୃତଦେହ ବାନ୍ଧି ଗାଁ ନିକଟ ପାହାଡ଼ର ୫ କିମି ଦୂର ଘଞ୍ଚ ଜଙ୍ଗଲକୁ ନେଇ ସେଠାରେ ଫିଙ୍ଗି ଦେଇ ଆସିଥିଲେ। ହେଲେ କଥା ଲୁଚି ରହି ନଥିଲା। ମାଆ ସହ କୌଣସି ପ୍ରକାର ଯୋଗାଯୋଗ ନ ହେବାରୁ ଭୁବନେଶ୍ବରରେ ରହି କାମ କରୁଥିବା ସୋମବାରୀଙ୍କ ପୁଅ ନିରଞ୍ଜନଙ୍କର ସନ୍ଦେହ ହୋଇଥିଲା। ଗାଁ’କୁ ଆସି ସେ ଖବର ନେବା ସହ ଆଜି ଔପଦା ଥାନାରେ ମାଆ ସୋମବାରୀଙ୍କ ସହ ଦାମ୍ପା ଓ ତାଙ୍କ ପତ୍ନୀ ସୁକାନ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।
ଏହି ସମ୍ବେଦନଶୀଳ ମାମଲାରେ ପୁଲିସ ତତ୍ପରତା ପ୍ରକାଶ କରିବା ସହ ବଡ଼ପୋଖରୀ ଗାଁ’ରେ ପହଞ୍ଚି ୬ ଜଣଙ୍କୁ ଉଠାଇ ନେଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ କୁଆଡ଼େ ଘଟଣାରେ ସଂପୃକ୍ତ ଥିବା ସ୍ବୀକାର କରିଥିଲେ। ଫଳରେ ପୁଲିସର ଏକ ଟିମ୍ ଅଟକ ଥିବା ଜଣେ ବ୍ୟକ୍ତିଙ୍କୁ ସାଙ୍ଗରେ ଧରି ଶବଗୁଡ଼ିକର ସନ୍ଧାନରେ ପାହାଡ଼କୁ ଯାଇଥିଲା। ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ପାହାଡ଼ ଉପରେ ମୃତଦେହଗୁଡ଼ିକୁ ଠାବ କରାଯାଇଛି। ତେବେ ରାସ୍ତା ଅତ୍ୟନ୍ତ ଦୁର୍ଗମ ଓ ଶବଗୁଡ଼ିକ ପଚିଯାଇଥିବାରୁ ଆଣିବା ସମ୍ଭବ ହୋଇପାରିନି। ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରହିଛି। ଆସନ୍ତାକାଲି ପ୍ରକୃତ ଘଟଣା ଉପରୁ ପରଦା ହଟିବ ବୋଲି ଜିଲ୍ଲା ପୁଲିସର ଜଣେ ବରିଷ୍ଠ ଅଧିକାରୀ ‘ସମ୍ବାଦ’କୁ କହିଛନ୍ତି।