ଅନ୍ଧବିଶ୍ବାସରୁ ହତ୍ୟାକାଣ୍ଡ: ଅସ୍ଥି ଘରେ ରଖିଥିବାରୁ ଗଣ୍ଡଗୋଳ, ଜଣେ ମୃତ

ସିନ୍ଧେକେଲା: ଅନ୍ଧବିଶ୍ବାସରୁ ହତ୍ୟାକାଣ୍ଡ। ମୃତକଙ୍କ ଅସ୍ଥି ବିସର୍ଜନ ନକରି ଘରେ ରଖିଥିବାରୁ ଦୁଇଭାଇଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଗନ୍ଧର୍ଲା ପଞ୍ଚାୟତ ସାଲେମୁଡ଼ଗା ଗାଁରେ ବୁଧବାର ଘଟିଥିବା ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।

ପ୍ରକାଶ ଯେ ସାଲେମୁଡ଼ଗା ଗାଁର ଜଳଧର ହଂସ ଓ ହଳଧର ହଂସ ଦୁଇ ଭାଇ। ଜଳଧରଙ୍କ ପ୍ରଥମ ଓ ଦ୍ବିତୀୟ ପତ୍ନୀଙ୍କ ମୃତ୍ୟୁ ପରେ ସେମାନଙ୍କ ଅସ୍ଥିକୁ ବିସର୍ଜନ ନକରି ଉଭୟ ଭାଇ ରହୁଥିବା ଘରେ ରଖିଥିଲେ। ଇତିମଧ୍ୟରେ ହଳଧରଙ୍କ ଝିଅ ଓ ପୁଅ ବାରମ୍ବାର ଅସୁସ୍ଥ ରହୁଥିବାରୁ ସେ ବିଭିନ୍ନ ଜାଗାକୁ ଚିକିତ୍ସା ପାଇଁ ନେଇଥିଲେ। ଶେଷରେ ବୁର୍ଲା ବଡ଼ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି ତାଙ୍କ ଝିଅ ଓ ପୁଅଙ୍କ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନାହିଁ ବୋଲି କହିଥିଲେ। ଫଳରେ ସେ ନିଜ ଗାଁ ସାଲେମୁଡ଼ଗା ଗାଁକୁ ବୁଧବାର ଫେରିଥିଲେ। ଜଳଧର ତାଙ୍କ ସ୍ତ୍ରୀ ଦ୍ବୟଙ୍କ ଅସ୍ଥି ଘରେ ରଖିଥିବାରୁ ଛୁଆମାନେ ଅସୁସ୍ଥ ରହୁଛନ୍ତି ବୋଲି ହଳଧର ଅଭିଯୋଗ କରିଥିଲେ। ଏଥିରେ ଦୁଇ ଭାଇଙ୍କ ପରିବାର ମଧ୍ୟରେ ମାଡ଼ପିଟ ହୋଇଥିଲା। ଉଭୟ ପକ୍ଷରୁ ଆହତମାନଙ୍କୁ ଚିକିତ୍ସା ପାଇଁ ସିନ୍ଧେକେଲା

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ହଳଧରଙ୍କ ପୁଅ ଡାକ୍ତର ହଂସ (୩୫)ଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉଭୟ ପକ୍ଷର ପୂର୍ଣ୍ଣ ହଂସ, ହଳଧର ଓ ଜଳଧର ଆହତ ହୋଇଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଉଭୟ ପରିବାର ଲୋକେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ସିନ୍ଧେକେଲା ପୁଲିସ ଜଳଧର ହଂସଙ୍କୁ ଥାନାରେ ଅଟକ ରଖିଛି। ଲିଖିତ ଅଭିଯୋଗ ପାଇବା ପରେ ଘଟଣା ବିଷୟରେ ଅଧିକ ଜଣାପଡ଼ିବ ବୋଲି ଥାନାଧିକାରୀ ଆଲୋକ ବେହେରା ସୂଚନା ଦେଇଛନ୍ତି। ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ ମଧ୍ୟ ସାଲେମୁଡ଼ଗା ଗାଁରେ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି ଘଟଣା ଘଟିଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର