ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା କମିରା ଗ୍ରାମରେ ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ପ୍ରକାଶ ବିଶ୍ବାଳ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ସେହି ଗାଁର ଅଭିଯୁକ୍ତ ଶିବ ପଧାନ ଓ ତାଙ୍କ ପୁଅ ଦୁଃଶାସନ ପଧାନଙ୍କୁ ପୁଲିସ ଗିରଫ କରିଛି।

Advertisment

ପୁଲିସର ସୂଚନା ଅନୁସାରେ, ପ୍ରକାଶଙ୍କ ରୟତି ଜମି ନିକଟରେ ଥିବା ସରକାରୀ ଜମିକୁ ଶିବଙ୍କ ପରିବାର ଅକ୍ତିଆର କରି କୂଅ ଖୋଳିବା ସହ ନିକଟରେ ଏକ ପୋଖରୀ ଖୋଳିଥିଲେ। ଶିବ ସରକାରୀ ଜମିକୁ ଚାଷଜମି ଭାବେ ପ୍ରସ୍ତୁତ କରିବାକୁ ଜେସିବି ସାହାଯ୍ୟରେ ମାଟି ଖୋଳିଥିଲେ। ସେହି ମାଟି ପ୍ରକାଶଙ୍କ ରୟତି ଜମି ଭିତରକୁ ଚାଲିଆସିଥିଲା। ପ୍ରକାଶ ମନା କରିବାରୁ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା। ପରେ ଦୁଶାସନ ଘରୁ ପ୍ରକାଶଙ୍କୁ ଉକ୍ତ ଜମି ନିକଟକୁ ଡାକିଆଣିଥିଲେ।

ସେଠାରେ ପୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶିବଙ୍କ ପରିବାର ଲୋକେ ଅତର୍କିତ ଭାବେ ପ୍ରକାଶଙ୍କୁ ଆକ୍ରମଣ କରିଥିଲେ। ପ୍ରଥମେ ଟାଙ୍ଗିଆରେ ତାଙ୍କ ମୁଣ୍ଡରେ ହାଣି ଦେବାରୁ ସେ ପଡ଼ିଯାଇଥିଲେ। ପରେ ଶାବଳ ଓ କାଠଗଣ୍ଡିରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପ୍ରକାଶଙ୍କ ମୃତ୍ୟୁ ହେବା ପରେ ଶିବଙ୍କ ପରିବାର ଲୋକେ ଫେରାର୍‌ ମାରିଥିଲେ। ବହୁ ସମୟ ପରେ ପ୍ରକାଶଙ୍କ ପରିବାର ଲୋକେ ଜାଣିବାକୁ ପାଇ ସୁବଳୟା ଥାନାପୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୁଲିସ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲା। ଏନେଇ ସୁବଳୟା ଥାନା କେସ୍ ନଂ ୨୭ରେ ମାମଲା ରୁଜୁ କରି ଥାନା ଅଧିକାରୀ ଅଞ୍ଜଳି କୁମାର ଅଧିକ ତଦନ୍ତ କରୁଛନ୍ତି।