ପୁରୀ: ଜମି ବିବାଦକୁ କେନ୍ଦ୍ର କରି ବୁଧବାର ରାତି ପ୍ରାୟ ୧୦ଟା ବେଳେ ପେଣ୍ଠକଟା ସାମୁଦ୍ରିକ ଥାନା ଅନ୍ତର୍ଗତ ସମଙ୍ଗରା ଗ୍ରାମରେ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଛୁରି ଓ ଭୁଜାଲି ମାଡ଼ରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ବାପା ଓ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଆହତମାନଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ସମଙ୍ଗରା ଗାଁରେ ଗ୍ରାମସଭା ବସିଥିଲା। ଏଥିରେ ରବି ନାୟକ ଓ ତାଙ୍କ ପଡ଼ୋଶୀ ଜଗା ସ୍ବାଇଁଙ୍କ ମଧ୍ୟରେ ଲାଗି ରହିଥିବା ଜମି ବିବାଦ ପ୍ରସଙ୍ଗ ଉଠିଥିଲା। ତେବେ ବୈଠକରେ କୌଣସି ସମାଧାନ ହୋଇ ନ ପାରିବାରୁ ଉଭୟ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ଉଭୟ ପରିବାର ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ଗଣ୍ଡଗୋଳ। ଜଗା ଓ ତାଙ୍କ ଭାଇ ବଳିଆ ପ୍ରତିପକ୍ଷ ରବି ନାୟକଙ୍କ ଘରେ ନିଆଁ ଲଗାଇଦେବା ସହ ତାଙ୍କ ପରିବାରର ୪ଟି ବାଇକ୍ରେ ନିଆଁ ଲଗାଇ ଦେଇଥିଲେ। ଏହାକୁ ନେଇ ଉଭୟ ପରିବାର ପରସ୍ପରକୁ ଆକ୍ରମଣ, ପ୍ରତିଆକ୍ରମଣ କରିଥିଲେ।
ଏହି ସମୟରେ ଜଗାବଳିଆ ଦୁଇଭାଇ ବିଭିନ୍ନ ମାରଣାସ୍ତ୍ରରେ ରବି ଓ ତାଙ୍କ ପୁଅ ପ୍ରକାଶ(୩୨)ଙ୍କୁ ଆକ୍ରମଣ କରିଥିଲେ। ଛୁରିରେ ପ୍ରକାଶଙ୍କ ପେଟ ଓ ଛାତିକୁ ଭୁସି ଦିଆଯିବାରୁ ଘଟଣାସ୍ଥଳରେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଟଳିପଡ଼ିଥିଲେ। ଆ୍ରକମଣରେ ରବି ନାୟକ ଓ ଜଗନ୍ନାଥ ପ୍ରଧାନ ଗୁରୁତର ଆହତ ହୋଇଥିବା ବେଳେ ଦୁଇଭାଇ ଜଗାବଳିଆ ମଧ୍ୟ ଆହତ ହୋଇଛନ୍ତି। ପରିବାର ଲୋକେ ଆହତମାନଙ୍କୁ ଧରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ଆହତ ରବି ଓ ଜଗନ୍ନାଥଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ଲେଖାଯିବା ବେଳକୁ ପ୍ରକାଶଙ୍କ ମୃତଦେହ ଗାଁରେ ପଡ଼ିରହିଥିଲା। ଅନ୍ୟପକ୍ଷରେ ନିଆଁ ଲିଭାଇବାକୁ ଆସିଥିବା ଦମକଳ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି। ଏସ୍ପି ବିନୀତ ଅଗ୍ରୱାଲ, ଏସ୍ଡିପିଓ ରବିନାରାୟଣ ଭଞ୍ଜ, ପେଣ୍ଠକଟା ସାମୁଦ୍ରିକ ଥାନା ଆଇଆଇସି ବବିତା ଦଳେଇ ପୁଲିସ ଫୋର୍ସ ସହ ଗ୍ରାମରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗିରହିଛି। ଗଣ୍ଡଗୋଳ ପରେ ଦୁଇଭାଇ ଜଗାବଳିଆ ସଦର ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି।