ପୂର୍ବଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟଣା: ୪ ଅଟକ 

Murder over previous feud: 4 arrests

ଧମା: ଧମା ଥାନା ଅଧୀନ ମାଳତୀ ଗୁଣ୍ଡେରପୁର ଠାରେ ସୋମବାର ଅପରାହ୍ଣରେ କମଳ ବାଗ(୫୦)ଙ୍କୁ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଥିବା କହିଛି। ମାଳତୀ ଗୁଣ୍ଡେରପୁରର ମହେନ୍ଦ୍ର ବାଗ(୫୦), ତାଙ୍କର ୨ ପୁଅ ଚିକୁ ବାଗ(୨୨) ଓ ସୁନୀଲ ବାଗ(୨୫) ଏବଂ ଜଣେ ନାବାଳକଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କମଳ ବାଗଙ୍କ ସ୍ତ୍ରୀ ମାଳତୀ ଗୁଣ୍ଡେରପୁରର ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଥିଲେ। ବର୍ତ୍ତମାନ ସେମାନେ ଗାଁ ଛାଡ଼ି ସମ୍ବଲପୁର ଚାଲି ଆସିଥିବାରୁ ସ୍ବୟଂ ସହାୟକ ଗୋଷ୍ଠୀର ଟଙ୍କା ନେଇ ଯିବାକୁ ତାଙ୍କୁ ଡକାଯାଇଥିଲା। ଏହାପରେ ଟଙ୍କା ପାଇଁ କମଳ ବାଗ ତାଙ୍କ ଗାଁକୁ ଯାଇଥିଲେ। ସେଠାରେ ତାଙ୍କ ସହ କିଛି ଯୁବକଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ କିଛି ଯୁବକ ତାଙ୍କୁ ମାରପିଟ୍‌ କରିବା ଆରମ୍ଭ କରିଥିଲେ। ଅସ୍ତୁରା ଧରି ଆକ୍ରମଣ କରିଥିଲେ। କମଳଙ୍କୁ ଟାଣି ଟାଣି ଆଣି କିଛି ଦୂରରେ ଫୋପାଡ଼ି ଦେଇଥିଲେ। ଏ ନେଇ ସୂଚନା ପାଇବା ପରେ ଧମା ପୁଲିସ ଘଟଣାସ୍ଥଳରେ ପହଞ୍ଚି କମଳଙ୍କୁ ଉଦ୍ଧାର କରିବା ସହ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୫ ତାରିଖ ଦିନ ମାଳତୀ ଗୁଣ୍ଡେରପୁରର ମାଖନୀ ବାଗ(୬୫)ଙ୍କୁ ହତ୍ୟା କରାଯାଇଥିଲା। ସୁଶୀଲ ବାଗ ଠେଙ୍ଗାରି ମାଡ଼ ମାରି ତାଙ୍କୁ ହତ୍ୟା କିରଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ପୁଲିସ ସୁଶୀଲକୁ ଗିରଫ ମଧ୍ୟ କରିଥିଲା। ଅନ୍ୟପଟେ ଏହି ରାଗରେ ମାଖନୀଙ୍କ ପରିବାର ଲୋକେ ଓ ଅନ୍ୟ କିଛି ଦୁର୍ବୃତ୍ତ ମିଶି  କମଳଙ୍କୁ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର