ରେଢ଼ାଖୋଲ : ରେଢ଼ାଖୋଲ ଥାନା କଦଳୀଗଡ଼ ପଞ୍ଚାୟତର କନ୍ଧରା ଗାଁରେ ତରଭୁଜ ବେପାରକୁ କେନ୍ଦ୍ରକରି ଆଜି ରାତିରେ ହତ୍ୟାକାଣ୍ଡ ଘଟିଛି। ଦୁଇ ବେପାରୀ ଭାଇଙ୍କ ଆକ୍ରମଣରେ ପୂର୍ଣ୍ଣଚନ୍ଦ୍ର ମେହେର (୬୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପୁଅ ଭଗବାନ ମେହେର ଗୁରୁତର ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଭଗବାନ ମେହେର ଓ ତାଙ୍କ ପଡ଼ୋଶୀ ସୁଜିତ ମେହେର ଓ ତାଙ୍କ ଭାଇ ନରେନ୍ଦ୍ର ମେହେର ତରଭୁଜ ବେପାର କରିଥାନ୍ତି। ଚାଷୀମାନଙ୍କଠାରୁ ତରଭୁଜ କିଣିବାକୁ ଆଗରୁ ପାଟିତୁଣ୍ଡ ବି ହୋଇଥିଲା। ଆଜି ରାତି ସାଢ଼େ ୯ଟାରେ ଭଗବାନ ମେହେର ରାତ୍ରଭୋଜନ ସାରି ଗାଁଦାଣ୍ଡକୁ ବାହାରି ଥିଲେ। ଏହି ସମୟରେ ଆଗରୁ ଯୋଜନାବନ୍ଧ ଭାବେ ଲୁଚି ରହିଥିବା ସୁଜିତ ଓ ନରେନ୍ଦ୍ର ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଭଗବାନଙ୍କ ଚିତ୍କାର ଶୁଣି ତାଙ୍କ ବାପା ପୂର୍ଣ୍ଣଚନ୍ଦ୍ର ରକ୍ଷା କରିବାକୁ ଦୌଡ଼ି ଆସିଥିଲେ। ଆକ୍ରମଣକାରୀମାନେ ତାଙ୍କୁ ମଧ୍ୟ ଛାଡ଼ି ନଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଟାଙ୍ଗିଆରେ ହାଣିଥିଲେ। ଏଥିରେ ଘଟଣାସ୍ଥଳରେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଭଗବାନ ଆହତ ହୋଇଥିଲେ। ଗୁରୁତର ଆହତ ଭଗବାନଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଛି। ଘଟଣା ସଂକ୍ରାନ୍ତରେ ଖବର ପାଇ ରାତିରେ ପୁଲିସ କନ୍ଧରାରେ ପହଂଚିଛି। ହତ୍ୟା ପରେ ଅଭିଯୁକ୍ତଦ୍ବୟ ଫେରାର ହୋଇଯାଇଥିବା ଜଣାପଡ଼ିଛି।