ପହିଲି ରଜରେ ବ୍ରହ୍ମପୁରରେ କ୍ଷୀର ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା, ତଣ୍ଟି ଚିପି ମାରି ଦେଲେ ୪ ଦୁର୍ବୃତ୍ତ!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ହିଲପାଟଣାରେ ଜଣେ କ୍ଷୀର ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା କରାଯାଇଛି । ଗତକାଲି ରାତିରେ ତାଙ୍କୁ ଲୁଟ୍ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଆଜି କିଛି ଦୋକାନୀ କ୍ଷୀର ଆଣିବାକୁ ହେରିଟେଜ୍ ମିଲ୍କ ଗୋଦାମକୁ ଯିବା ସମୟରେ ଏହି ଘଟଣା ସାମ୍ନାକୁ ଆସିଛି । ଘଟଣା ସ୍ଥଳରେ ଗୋଷାଣୀ ନୂଆଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ହିଲପାଟଣାର ଏମ୍ ଏଭି ସ୍କୁଲ ସାମ୍ନାରେ ରହୁଥିବା କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି (୫୩) ଗତକାଲି ରାତିରେ ନିଜର ହେରିଟେଜ୍ ମିଲ୍କ ଗୋଦାମ ଘରେ ଶୋଇଥିଲେ। ରାତିରେ ୪ଜଣ ଦୁର୍ବୃତ୍ତ ପଛ ଗେଟ୍ ବାଟ ଦେଇ ପଶି ଲମ୍ବୋଦର ମୁନିଙ୍କ ଗୋଦାମ ଭିତରେ ପଶି ତାଙ୍କ ଗୋଡ଼ ବାନ୍ଧି ତଣ୍ଟି ଚିପି ମାରି ଦେଇଥିବା କୁହାଯାଉଛି। ଦୁର୍ବୃତ୍ତମାନେ ତାଙ୍କ ବେକରେ ଥିବା ୪ ଲକ୍ଷ ଟଙ୍କାର ସୁନା ଚେନ୍ ଲୁଟି ନେଇଥିବା ଜଣାଯାଇଛି।

ଖାଲି ସେତିକି ନୁହେଁ ଦୁର୍ବୃତ୍ତମାନେ ସିସିଟିଭି ଫୁଟେଜ୍ ଥିବା ହାର୍ଡ ଡିସ୍କକୁ ଚୋରି କରି ନେଇ ଯାଇଛନ୍ତି। ଘଟଣା ସଂପର୍କରେ ଖବର ପାଇ ଘଟଣା ସ୍ଥଳରେ ଗୋଷାଣୀ ନୂଆଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆରକ୍ଷୀ ଅଧୀକ୍ଷକ ଓ ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ବାଡ୍ ପହଞ୍ଚି ତଦନ୍ତ ଚଳାଉଥିବାର ଖବର ମିଳିଛି।

ସମ୍ବନ୍ଧିତ ଖବର