ସାନଭାଇକୁ ପିଟିପିଟି ହତ୍ୟା କରିବା ପରେ ଶବକୁ ପୋତି ଦେଇଥିବା ଅଭିଯୋଗରେ ବଡ଼ ଓ ମଝିଆଁ ଭାଇ ଗିରଫ

ବସ୍ତା: ବାଲେଶ୍ବର ଜିଲ୍ଲାର ବସ୍ତା ବ୍ଲକ୍ ଅନ୍ତର୍ଗତ ଚକୁରି ଗାଁରେ ବଡ଼ ଭାଇ ଓ ମଝିଆଁ ଭାଇ ନିଜର ସାନଭାଇକୁ ପିଟିପିଟି ହତ୍ୟା କରିବା ପରେ ଶବକୁ ପୋତି ଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଚକୁରି ଗାଁରେ ୭ ଦିନ ତଳେ ବଡ଼ ଭାଇ ଟିନା ହେମ୍ରମ୍ ଓ ମଝିଆଁ ଭାଇ ଗାପୁର ହେମ୍ରମ୍ ନିଜର ସାନଭାଇ ରୋହିତ ହେମ୍ରମ (୨୨)କୁ ପିଟିପିଟି ହତ୍ୟା କରିବା ପରେ ଶବକୁ ପୋତି ଦେଇଥିଲେ।
ବସ୍ତା ଥାନା ପୁଲିସ୍ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଆଜି ଟିନା ହେମ୍ରମ୍ ଓ ଗାପୁର ହେମ୍ରମଙ୍କ ସମେତ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଗାଁର ୫ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଏହାପରେ ଦୁଇ ଭାଇ ଦୋଷ ସ୍ବୀକାର କରିଥିଲେ। ତାପରେ ଘଟଣାସ୍ଥଳରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଶବକୁ ମାଟି ତଳୁ ବାହାର କରିଥିଲା। ପୁଲିସ ଏହି ହତ୍ୟାକାଣ୍ଡ ଭିଆଇଥିବା ଦୁଇ ଭାଇଟିନା ହେମ୍ରମ୍ ଓ ଗାପୁର ହେମ୍ରମଙ୍କୁ ଗିରଫ କରିଥିବାର ସୂଚନା ମିଳିଛି।

ତେବେ କାହିଁକି ସେଦୁହେଁ ସାନଭାଇକୁ ମାରିଥିଲେ ତାହା ଏଯାବତ୍ ସ୍ପଷ୍ଟ ଜଣାପଡ଼ି ନାହିଁ। ପୁଲିସ୍ ଏନେଇ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ରୋହିତ ହେମ୍ରମ୍ ବିବାହିତ ଏବଂ ତା’ର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର