ତେନ୍ତୁଳିଖୁଣ୍ଟି : ପ୍ରେମିକାକୁ ଭଲ ପାଉଥିବା ପ୍ରେମିକ ଶେଷରେ ତାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଦୀର୍ଘ ୫ ବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ଶେଷରେ କୌଣସି କାରଣକୁ ନେଇ ପ୍ରେମିକ ଜଣକ ତାଙ୍କ ପ୍ରେମିକାକୁ ହତ୍ୟା କରିଥିବା ନେଇ ଝିଅର ମା’ ସୂର୍ଯ୍ୟ ଗଣ୍ଡା ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ତେନ୍ତୁଳିଖୁଣ୍ଟି ଥାନା ଆଇଆଇସି ପରମାନନ୍ଦ ସୁନାନୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ହତ୍ୟାକାରୀ ପ୍ରେମିକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରି ତଦନ୍ତ ଜାରି ରଖିଛନ୍ତି ।
ମୃତ ଯୁବତୀଙ୍କ ମା’ ସୂର୍ଯ୍ୟଙ୍କ ଅଭିଯୋଗ ଅନୁଯାୟୀ, ଅଞ୍ଚଳଗୁମ୍ମା ଗ୍ରାମର ଭୀଷ୍ମ ହରିଜନ (୨୭) ଦୀର୍ଘ ୫ ବର୍ଷ ହେଲା ତାଙ୍କ ଝିଅ ସହ ପ୍ରେମ ସମ୍ପର୍କ ରଖିବା ସହ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଆସୁଥିଲା । ଏ ନେଇ ଝିଅ ଘର ପକ୍ଷରୁ ଉଭୟ ପୁଅ ଓ ଝିଅଙ୍କୁ ତାଗିଦ କରି ଆସୁଥିଲେ। ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ଥିବା ବେଳେ ନିଜ ଗାଁରେ କୁଲି ମଜୁରୀ କରି ପରିବାରକୁ ସହଯୋଗ କରୁଥିଲେ । ତେବେ ଗତକାଲି ଝିଅ କୁଲି କାମ ସାରି ଘରକୁ ଆସିଥିବା ବେଳେ ଭଲ ପାଉଥିବା ପ୍ରେମିକ ଭୀଷ୍ମ ହରିଜନ ଫୋନ କରି ଯୁବତୀଙ୍କୁ ଡାକିଥିବା ପରିବାର ଲୋକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ତେବେ ଯୁବତୀଙ୍କ ମା’ କୁଲି କାମ ସାରି ସନ୍ଧ୍ୟା ସମୟରେ ଘରକୁ ଫେରି ଯୁବତୀ ଜଣଙ୍କ କୁଆଡେ ଯାଇଛି ବୋଲି ପରିବାର ଲୋକଙ୍କୁ ପଚାରି ଖୋଜା ଖୋଜି କରିଥିଲେ । ଶେଷରେ ଅଞ୍ଚଳଗୁମ୍ମା ସ୍ଥିତ ଏକ ସରକାରୀ ବିଦ୍ୟାଳୟ ଭିତରେ ଯୁବତୀ ଜଣଙ୍କ ଅଚେତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ ।
ଯୁବତୀଙ୍କ ବେକରେ ନଖ ଚି଼ହ୍ନ ଥିବା ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡାକି ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ଭୀଷ୍ମ ମୋ ଝିଅକୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଯୁବତୀଙ୍କ ମା’ ସୂର୍ଯ୍ୟ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେନ୍ତୁଳିଖୁଣ୍ଟି ପୁଲିସ ଭୀଷ୍ମକୁ ଥାନାରେ ଅଟକ ରଖି ପଚରା ଉଚରା କରି ତଦନ୍ତ ଜାରି ରଖିଛି । ସେହିପରି ଯୁବତୀଙ୍କ ଶବକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ ସୂଚନା ଦେଇଛି। ଏ ନେଇ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ ୯୭ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ଆଇ.ଆଇ.ସି ପରମାନନ୍ଦ ସୁନାନୀ ମାମଲାର ତଦନ୍ତ କରୁଛନ୍ତି ।