ଫୁଲବାଣୀ : କନ୍ଧମାଳରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଆଜି ସଦର ଥାନା ଅନ୍ତର୍ଗତ ବେହେରାପଦରରେ ମା’କୁ ଛୁରି ଭୁଷି ପୁଅ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ବେହେରାପଦରରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମା’ ଉର୍ମିଳା ବେହେରାଙ୍କୁ ପୁଅ ଭାଗିରଥି ବେହେରା ଛୁରିରେ ଭୁଷି ହତ୍ୟା କରିଥିବା ଜଣାଯାଇଛି। ଏହାଫଳରେ ଘଟଣାସ୍ଥଳରେ ହିଁ ଉର୍ମିଳା ବେହେରା(୬୦)ଙ୍କର ମୃତ୍ୟୁ ଘଟିଛି।
ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଜଣାଯାଇଛି। ତେବେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଅ ହେଲା ଭାଗିରଥି ବେହେରା ଫେରାର ହୋଇ ଯାଇଛି। ଘଟଣାସ୍ଥଳରେ ସଦର ଥାନା ପୁଲିସ ତଦନ୍ତ ଜାରି ରଖିଛି।
ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ସାରଙ୍ଗଗଡ଼ ଗ୍ରାମରେ ପୂର୍ବତନ ସରପଞ୍ଚଙ୍କୁ ଜମିଜମା ବିବାଦକୁ ନେଇ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲା ସଂପର୍କୀୟ ପୁତୁରା। ଗ୍ରାମର ପୂର୍ବତନ ସରପଞ୍ଚ ବ୍ରଜ ବିଷୋୟୀ(୭୦)ଙ୍କୁ ପଡ଼ୋଶୀ ତଥା ସଂପର୍କୀୟ ପୁତୁରା ଡେପୁଟି ବିଷୋୟୀ ହତ୍ୟା କରିଥିବା ଜଣାପଡ଼ିଛି। ତେବେ ଗ୍ରାମକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିବାରୁ ପୁଲିସ ଗ୍ରାମକୁ ଆସିପାରିନି।
ହତ୍ୟାକାରୀ ଫେରାର୍ ହୋଇଯାଇଥିବା ଘୁ.ଉଦୟଗିରି ଏସ୍ଡିପିଓ ଜୟକୃଷ୍ଣ ବେହେରା ସୂଚନା ଦେଇଛନ୍ତି` ସୂଚନା ପ୍ରକାରେ ବ୍ରଜ ଓ ଡେପୁଟି ବିଷୋୟୀଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ ଏନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସନ୍ଧ୍ୟା ୭ଟାରେ ପୁଣି ପାଟିତୁଣ୍ଡ ହୋଇଥିବା ବେଳେ ପୁତୁରା ଡେପୁଟି ଏକ ଟାଙ୍ଗିଆରେ ବ୍ରଜଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସାରଙ୍ଗଗଡ଼ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/murder-640x430-1.jpg)