କାରର କାଚ ଭାଙ୍ଗିଥିବା ଯୁବକକୁ ଲୁହା ଏଙ୍ଗେଲରେ ପିଟିପିଟି ମାରି ଦେଲେ ପରିବାରର ୪ ସଦସ୍ୟ, ଅଭିଯୁକ୍ତ ବାପା, ମାଆ ଓ ଦୁଇ ପୁଅ ଗିରଫ

ସୁନ୍ଦରଗଡ଼:  ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡା ଥାନା ଅଞ୍ଚଳରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ୪ଜଣ ଜଣେ ଯୁବକକୁ ପିଟି ପିଟି ମାରିଦେଇଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଲେଫ୍ରିପଡା ଥାନା ଅନ୍ତର୍ଗତ ଅଉଁଲାବାହାଲ ଗ୍ରାମରେ ଏକ ପରିବାରର ସମସ୍ତେ  ମିଶି ଗ୍ରାମର ଜଣେ ଯୁବକକୁ ପିଟି ପିଟି ମାରିଦେଇଥିବା ବେଳେ  ପୁଲିସ   ସଂପୃକ୍ତ ପରିବାରର  ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରକାଶ ଯେ  ଗତ ଶନିବାର ରାତିରେ  ଅଉଁଳାବାହାଲ ଗ୍ରାମର  ସାକ୍ଷୀଗୋପାଳ ପୋଢ (୨୩)ଙ୍କ ସହିତ ଗ୍ରାମର  କାନ୍ତ ବେଶନଙ୍କ ପରିବାର ସହିତ ଝଗଡା ହୋଇ ଥିଲା। ଏତିକି ବେଳେ ସାକ୍ଷୀଗୋପାଳ  କାନ୍ତଙ୍କ କାରକୁ ବାଡ଼େଇ କାରର  କାଚ ଭାଙ୍ଗି ଦେଇଥିଲେ। ଏଥିରେ କାନ୍ତ ଙ୍କ ପରିବାର ଲୋକେ ଉତକ୍ଷିପ୍ତ  ହୋଇ ସଂପୃକ୍ତ ଯୁବକକୁ ଧରି ତାଙ୍କର ଲୁହା ଗ୍ରିଲରେ ବାନ୍ଧିଦେଇ ତାକୁ ଏକ ଲୁହା ଏଙ୍ଗେଲରେ ପିଟିଥିଲେ।  ଏହାଫଳରେ ସେ ଗୁରୁତର  ଆହତ ହୋଇଥିଲେ।

ପରେ ସାକ୍ଷୀଗୋପାଳ ପୋଢଙ୍କ ଘର ଲୋକେ ତାଙ୍କୁ ଉଦ୍ଧାର କରି  ଚିକିତ୍ସା ପାଇଁ  ସୁନ୍ଦରଗଡ଼  ଡାକ୍ତରଖାନାକୁ ନେଇଥିଲେ ହେଲେ ଚିକିତ୍ସାଧୀନ  ଅବସ୍ଥାରେ  ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।   ଏହି ଘଟଣାରେ  କାନ୍ତ ବେଶନ, ତାଙ୍କ ସ୍ତ୍ରୀ ସାବିତ୍ରୀ ବେଶନ, ଦୁଇ ପୁଅ ଗୋକୁଲ ଏବଂ ମକୁଲଙ୍କୁ ପୁଲିସ ଗିରଫ କରିଥିଲା। ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ୍। ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତମାନଙ୍କୁ ସୁନ୍ଦରଗଡ଼ ଜେଲକୁ ପଠାଯାଇଛି।

ସମ୍ବନ୍ଧିତ ଖବର