ବନ୍ଦ ଘର ଭିତରେ ଗଳିତ ଶବ! ଶେଷ ଥର ଲାଗି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଶୁଣିଥିଲେ ପଡ଼ିଶା

ଦୁର୍ଗନ୍ଧରେ ଫାଟିପଡ଼ୁଛି ଅଂଚଳ, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଆଜି ଭଙ୍ଗା ହେବ କବାଟ

ସମ୍ବଲପୁର : ସମ୍ବଲପୁର ସହର ମୁଦିପଡ଼ା ପାଣିଟାଙ୍କି ପଡ଼ାର ଏକ ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ। ଏହି ଭଡ଼ା ଘରେ ତାଲା ଝୁଲୁଥିବାବେଳେ ଭିତରୁ ଏଭଳି ଉତ୍କଟ ଗନ୍ଧ ବାହାରିବା ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘରେ ରହୁଥିବା ଲୋକଙ୍କୁ ୨ ଦିନ ହେବ ଆଖପାଖ ଲୋକେ ଦେଖିନାହାନ୍ତି। ଏଭଳି ସ୍ଥିତିରେ ଘର ଭିତରେ କିଛି ଅଘଟଣ ଘଟିବା ପରେ ତାଲା ପକାଇ କେହି ଚାଲିଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଘର ଭିତରେ ଶବ ପଚି ଦୁର୍ଗନ୍ଧ ବାହାରୁଥିବା ସୂଚନା ପାଇ ସନ୍ଧ୍ୟାରେ ଟାଉନ୍‌ ଥାନା ପୁଲିସ୍‌ ଘଟଣାସ୍ଥଳକୁ ଯାଇଥିଲା। ଘର ସମ୍ମୁଖରେ ଝୁଲୁଥିବା ପରଦା ଟେକି ଦେବା ମାତ୍ରେ ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡ଼ିଥିଲା । ଘର ମାଲିକ ସେଠାରେ ରହୁ ନ ଥିବାରୁ ତାଙ୍କୁ ପୁଲିସ ଖବର ଦେଇଛି। ଶୁକ୍ରବାର ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍‌ ଟିମ୍‌ର ଉପସ୍ଥିତିରେ ଘରର ତାଲା ଭଙ୍ଗାଯିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ ସ୍ଥାନୀୟ ଲୋକଙ୍କୁ କହିଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ ଗତ ୨୦ ଦିନ ହେବ ଏକ ପରିବାର ଏଠାରେ ଭଡ଼ାରେ ରହୁଥିଲେ। ଶ୍ରମିକ ଭାବେ କାମ କରୁଥିବା ଏକ ଦମ୍ପତି ଓ ସେମାନଙ୍କର ୪ ବର୍ଷର ଶିଶୁ ରହୁଥିଲେ। ସେମାନେ କାହା ସହ ମିଳାମିଶା କରୁନଥିବାରୁ ସେମାନଙ୍କ ପରିଚୟ କିମ୍ବା ସେମାନେ କେଉଁଠୁ ଆସିଥିଲେ ସେ ସଂପର୍କରେ କେହି ଜାଣି ନାହାନ୍ତି। ସକାଳୁ ଉଭୟ ସ୍ବାମୀ-ସ୍ତ୍ରୀ ସେମାନଙ୍କ ଛୁଆକୁ ନେଇ କାମ କରିବାକୁ ଯାଆନ୍ତି ଓ ସଞ୍ଜ ହେଲେ ଫେରି କବାଟ ବନ୍ଦ କରି ଘରେ ରହନ୍ତି।

ଗତ ମଙ୍ଗଳବାର ରାତିରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। କିନ୍ତୁ କିଛି ସମୟରେ ପରେ ସବୁକିଛି ଶାନ୍ତ ପଡ଼ିଥିଲା। ସକାଳୁ ଘରେ ତାଲା ଝୁଲୁଥିଲା। ଆଉ କେହି ଘରକୁ ଯିବା ଆସିବା କରିଥିବା ଅଞ୍ଚଳବାସୀ ଦେଖିନାହାନ୍ତି। ସେପଟେ କିଛି ଲୋକଙ୍କ କହିବାନୁସାରେ ଘଟଣା ଦିନ ବିଳମ୍ବିତ ରାତିରେ ଉକ୍ତ ଘର ଭିତରୁ ଯୁବକ ଜଣକ ବାହାରି କେଉଁଆଡ଼େ ଚାଲିଯାଇଥିଲା। ତେବେ କବାଟ ଭାଙ୍ଗିବା ପରେ ଯାଇ ପ୍ରକୃତରେ ଉକ୍ତ ଦିନ କଣ ଘଟିଥିଲା ଓ ଘର ଭିତରୁ ବାହାରୁଥିବା ଦୁର୍ଗନ୍ଧର ରହସ୍ୟ ଖୋଲିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର