ଜଗତସିଂହପୁର: ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ତାରିଣୀଗଡ଼ାରେ ଏକ ଚାରି ମହଲା କୋଠା ନିକଟରୁ ଜଣେ ଅଜ୍ଞାତ ମହିଳାଙ୍କ କ୍ଷତାକ୍ତ ଶବ ଆଜି ସକାଳେ ପୁଲିସ ଜବତ କରିଛି। ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହରେ ପୁଲିସ ତନାଘନା ଚଳାଇଛି। ମହିଳାଙ୍କ ଡାହାଣପଟ କାନମୁଣ୍ଡାରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପାରାଦୀପ ଆଦର୍ଶ ଥାନା ପୁଲିସ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଛାନଭିନ୍‌ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ଡାକ୍ତରଖାନାକୁ ପଠାଇଥିଲେ। କିନ୍ତୁ ସନ୍ଧ୍ୟାସୁଦ୍ଧା ସଂପୃକ୍ତ ମହିଳାଙ୍କ ପରିଚୟ ମିଳିନାହିଁ। ମହିଳାଙ୍କୁ ଚାରିମହଲା ଛାତ ଉପରୁ ଠେଲି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଘରମାଲିକ ଓ ସେଠାରେ ଭଡ଼ାରେ ରହୁଥିବା ୭ ଜଣଙ୍କୁ ପଚରଉଚରା କରୁଛି। ସିସିଟିଭି ହାର୍ଡଡିସ୍କ ଜବତ ସହ ସ୍ଥାନୀୟ ଲୋକଙ୍କ ବୟାନ ନେଉଛି।

Advertisment

Paradeep port: ୫୦ ହଜାର କୋଟିର ଏମ୍‌ଓୟୁ ସ୍ବାକ୍ଷରିତ: ‘ବନ୍ଦର କ୍ଷମତା ୫୦୦ ନିୟୁତ ଟନ୍‌ ହେବ’

୪ ମହଲାରୁ ଠେଲିଦେଲେ
୭ ଅଟକଙ୍କୁ ଜେରା, ସିସିଟିଭି ହାର୍ଡଡିସ୍କ ଜବତ

ସୂଚନା ଅନୁଯାୟୀ, ତାରିଣୀଗଡ଼ାର ପ୍ଲଟ୍‌ ନମ୍ବର ୪୫୭(ପି) ‘ଖୁଣ୍ଟିଆ ନିବାସ’ରେ ଘର ମାଲିକଙ୍କ ପରିବାର ସମେତ ଅନ୍ୟ ଭଡ଼ାଟିଆ ରହନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୬ଟାରେ ପଡ଼ୋଶୀମାନେ ମହିଳାଙ୍କ ରକ୍ତ ଜୁଡୁବୁଡୁ ଶବ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ମହିଳା ଜଣକ ବାମକଡ଼କୁ ମାଡ଼ି ହୋଇ ପଡ଼ିଥିବା ବେଳେ କେବଳ ଅଣ୍ଟା ଉପରକୁ ଶରୀରରେ ଏକ ସେମିଜ୍ ରହିଥିଲା। ତଳଭାଗରେ କୌଣସି ବସ୍ତ୍ର ନଥିଲା। ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ରହିଛି। 
ପ୍ରାୟ ୧୫ ଫୁଟ ଉପରେ କାନ୍ଥରେ ଯାଇଥିବା ଗ୍ୟାସ ପାଇପ୍‌ରେ ଚିରା ପଞ୍ଜାବି ଲାଗିଥିବା ବେଳେ ତାହା ସଂପୃକ୍ତ ମହିଳାଙ୍କର ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ଏହାକୁ ଫରେନ୍‌ସିକ୍‌ ତଦନ୍ତ ଲାଗି ପୁଲିସ ପଠାଇଛି।

Aiims Bhubaneswar: ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦଘାଟନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ମହିଳା ଜଣକ କିନ୍ତୁ ସେଠାରେ ରହୁ ନ ଥିବା ବେଳେ ତାଙ୍କୁ କେହି ଡାକି ଚାରିମହଲାକୁ ନେଇଥିବା ସନ୍ଦେହ କରାଯାଉଛି। କୋଠା ମୁଖ୍ୟ ଫାଟକରେ ରାତିରେ ତାଲା ପଡ଼ିଥାଏ। ମହିଳାଙ୍କ ଶବ ତଳ ମହଲାର କାନ୍ଥ ପାଖରେ ପଡ଼ିଥିବାରୁ ଦୁଷ୍କର୍ମ ପରେ ତାଙ୍କୁ ଉପରୁ ଖସାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ମାଲିକ ପୁଲିସକୁ ଦେଇଥିବା ବୟାନ ଅନୁସାରେ, ମହିଳାଙ୍କୁ ସେ ଚିହ୍ନି ନାହାନ୍ତି କିମ୍ବା ଏହି କୋଠାକୁ କେମିତି ଆସିଲେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଛାତ ଉପରେ ମହିଳାଙ୍କ ଚପଲ, ମଶାବତି, ସିଗାରେଟ୍‌ ଓ ଖଇନି ଜରି ପଡ଼ିଛି। ମହିଳା ଜଣଙ୍କ କିଏ ଓ ସେ କେତେବେଳେ କେଉଁ ପରିସ୍ଥିତିରେ ସେଠାକୁ କାହିଁକି ଆସିଥିଲେ ସେ ନେଇ ପୁଲିସ ତଦନ୍ତ ଚଳାଇଛି। ଅତିରିକ୍ତ ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଘଟଣାର ତଦନ୍ତ ଚାଲିଥିବା ସମୟରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ପୁଲିସର ହସ୍ତଗତ ହୋଇଛି। ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ ଚାଲିଛି। ଖୁବ୍‌ଶୀଘ୍ର ରହସ୍ୟ ଉପରୁ ପରଦା ଉଠିବ ବୋଲି ସେ କହିଛନ୍ତି।