ସୋନପୁର: ଏକ ହତ୍ୟା, ଅପହରଣ ଓ ହତ୍ୟା ଧମକ ମାମଲାର ବିଚାର କରି ଜିଲ୍ଲା ଓ ଦୌରାଜଜ୍ ହିରଣ୍ମୟ ବିଶୋଇ ହତ୍ୟା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଖଲାସ କରିଥିବା ବେଳେ ଅପହରଣ, ହତ୍ୟା ଧମକ ମାମଲାରେ ଅଭିଯୁକ୍ତମାନଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ ଉଲୁଣ୍ଡା ଥାନା ଅମୁର୍ଡା ଗ୍ରାମର ବନ ପ୍ରଧାନଙ୍କ ସହ ତାଙ୍କ ବଡ଼ ଭାଇ ସୋମନାଥ ପ୍ରଧାନଙ୍କ ଜମିବାଡ଼ି ଏବଂ ମଇଁଷି ଭାଗବଣ୍ଟାକୁ ନେଇ ଝଗଡ଼ା ହୋଇଥିଲା। ଏହାର ୧୫ ଦିନ ପରେ ୨୦୦୦ ମସିହା ସେପ୍ଟେମ୍ବର ୧୩ ତାରିଖରେ ବନ ପୋଢ଼ ଚରାଇ ଘରକୁ ଫେରୁଥିବା ବେଳେ ଅମୁର୍ଡା ଗ୍ରାମର ବୁଦୁଲି ପଧାନ, ଆଶାରାମ ସାହୁ ଓ ଧୋବା ସାହୁ ବନକୁ ତୋର ମରଣ ଆସିଲାଣି ତୋତେ ମାରିବୁ ବୋଲି କହିଥିଲେ। ଏହାପରେ ସେହିଦିନ ରାତି ପ୍ରାୟ ୧୧ଟାରୁ ୧୨ଟା ମଧ୍ୟରେ ବନଙ୍କ ବଡ଼ଭାଇ ସୋମନାଥ ପଧାନ, ବୁଦୁଲି ପଧାନ, ଆଶାରାମ ସାହୁ, ଧୋବା ସାହୁ, ନେହେରୁ ପଧାନ, ଦାମ ନାଗ ଓ ଦାଶରଥ ସାହୁ ଆଦି ଘର ଭିତରକୁ ପଶି ବନ ମୁହଁରେ ଏକ ଗାମୁଛା ପକାଇ ଧରି ନେଇଥିଲେ।
ଏ ସମ୍ପର୍କରେ ବନଙ୍କ ପତ୍ନୀ ଖୀରାଦି ତା’ ପରଦିନ ଅର୍ଥାତ୍ ୧୪ ତାରିଖରେ ଉଲୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ପରେ ୧୫ ତାରିଖରେ ଅମୁର୍ଡା ନିକଟ ମହାନଦୀରେ ବନଙ୍କ ଶବ ମିଳିବା ପରେ ଉଲୁଣ୍ଡା ପୁଲିସ ଅଭିଯୁକ୍ତମାନଙ୍କ ନାମରେ ହତ୍ୟା, ଅପହରଣ, ହତ୍ୟା ଧମକ, ପ୍ରମାଣ ନଷ୍ଟ, ଘରକୁ ଜବରଦସ୍ତ ପ୍ରବେଶ ଅଭିଯୋଗରେ ଧାରା ୩୦୨, ,୩୬୫, ୫୦୬, ୪୫୧, ୨୦୧ ଅନୁଯାୟୀ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଏହି ମାମଲା ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ବିଚାରାଧୀନ ଥିଲା। ଏହି ମାମଲାରେ ୧୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।
ମାମଲା ଚାଲିଥିବା ବେଳେ ଅଭିଯୁକ୍ତ ଧୋବା ସାହୁ ଏବଂ ଦାମ ନାଗଙ୍କ ବିୟୋଗ ଘଟିଥିଲା। ଅନ୍ୟ ଅଭିଯୁକ୍ତ ସୋମନାଥ ପଧାନ, ବୁଦୁଲି ପଧାନ, ଆଶାରାମ ସାହୁ, ନେହେରୁ ପଧାନ ଏବଂ ଦଶରଥ ସାହୁଙ୍କ ହତ୍ୟା ଅଭିଯୋଗ ମାମଲାରେ ଜିଲ୍ଲା ଓ ଦୌରା ଜଜ୍ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ସମସ୍ତ ୫ ଜଣ ଯାକ ଅଭିଯୁକ୍ତଙ୍କୁ ଅପହରଣ ମାମଲାରେ ୩ ବର୍ଷ ଜେଲ ସହ ୨ ହଜାର ଟଙ୍କା ଜରିମାନା, ହତ୍ୟା ଧମକ ମାମଲାରେ ୩ ବର୍ଷ ଜେଲ ସହ ୨ ହଜାର ଟଙ୍କା ଜରିମାନା, ଘରକୁ ଜବରଦସ୍ତ ପ୍ରବେଶ ମାମଲାରେ ୨ ର୍ଷ ଜେଲ ସହ ୧ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଦର୍ଶାଇଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର ପିପି କହ୍ନେଇଲାଲ ପ୍ରଧାନ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest.jpg)