ଆରଟିଓ ଅଫିସରେ ପଶି କର୍ମଚାରୀଙ୍କୁ ହତ୍ୟା ଧମକ; ଏଆରଟିଓଙ୍କ ଏତଲା, ଥାନାରେ ମାମଲା

ସୁନ୍ଦରଗଡ଼: ଜୁଲାଇ ୨୯ ଅପରାହ୍ନ ସାଢ଼େ ୪। ସୁନ୍ଦରଗଡ଼ ଆରଟିଓ ଅଫିସ ଭିତରେ ପଶିଥିଲେ ଚନ୍ଦ୍ରଶେଖର ପତି ଓରଫ ବାବଲୁ ପତି ନାମକ ଜଣେ ବ୍ୟକ୍ତି। ପଶିବା କ୍ଷଣି କର୍ମଚାରୀମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ଆରମ୍ଭ କରି ଦେଇଥିଲେ। ଏହା ସହ ଜୀବନରେ ମାରିଦେବାର ଧମକ ଦେଇଥିଲେ। ଏପରିକି ନିଜକୁ ଅଫିସର ସର୍ବେସର୍ବା କହି ସମସ୍ତଙ୍କୁ ବଦଳି କରାଇଦେବି ନହେଲେ ଭିଜିଲାନ୍ସ ଧରାଇଦେବି କହି ସମସ୍ତଙ୍କୁ ଭୟଭୀତ କରି ଅଫିସ କାର୍ଯ୍ୟରେ ବାଧା ଦେଇଥିଲେ। ଏବେ ସମ୍ପୃକ୍ତ ବ୍ୟକ୍ତି ନାମରେ ସୁନ୍ଦରଗଡ଼ ଏଆରଟିଓ ସସ୍ମିତା ବେହେରା ଟାଉଥାନାରେ ଏତଲା ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଅଭିଯୁକ୍ତ ବହୁଦିନ ଧରି ଆରଟିଓ ଅଫିସରେ ଦଲାଲି କରୁଥିବା ଅଭିଯୋଗ ଥିବା ବେଳେ ଏବେ ଅଫିସରେ ପଶି କର୍ମଚାରୀମାନଙ୍କୁ ଧମକ ଦେବା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ସାଧାରଣରେ ଚର୍ଚ୍ଚାକ୍ରମେ, ଆରଟିଓ ଅଫିସରେ ଦଲାଲି କରି ଆସୁଥିବା ସମ୍ପୃକ୍ତ ବ୍ୟକ୍ତି ମୋଟା ଅଙ୍କର ଅର୍ଥ ନେଇ ଗାଡ଼ି ମୋଟର ପଞ୍ଜୀକରଣ ଠାରୁ ଆରମ୍ଭ କରି ନବୀକରଣ, ବୀମା, ପ୍ରଦୂଷଣ ପ୍ରମାଣପତ୍ର, ଗାଡ଼ିର ମାଲିକାନା ପରିବର୍ତ୍ତନ ସହ ଟ୍ୟାକ୍ସ ପ୍ରଦାନ ଯାଏ ସବୁ କାମ ସେ ଅକ୍ଲେଶରେ କରି ନେଉଥିବା ଅଭିଯୋଗ ରହିଛି। ଅଫିସରେ ତାଙ୍କ ଅବାଧ ପ୍ରବେଶ ଥିବା ବେଳେ ଅଧିକାରୀଙ୍କ ଠାରୁ କର୍ମଚାରୀ ଯାଏ ସମସ୍ତେ ହାତ ଚିକ୍କଣ କରି ତାଙ୍କୁ ପ୍ରଶୟ ଦେଇ ଆସୁଥିଲେ। କୁହାଯାଉଛି, ଶୁକ୍ରବାର ଅପରାହ୍ନ ସାଢ଼େ ୩ଟାରେ ଏକ ନୂଆ ଗାଡ଼ିର ପଞ୍ଜୀକରଣ ପାଇଁ ବାବଲୁ ପତି କାଗଜପତ୍ର ଧରି ଆରଟିଓ ଅଫିସରେ ସେହି ବିଭାଗର କର୍ମଚାରୀ ପାଖକୁ ଯାଇଥିଲେ। କିନ୍ତୁ ମାଲିକ ନଆସିଲେ ଗାଡ଼ି ପଞ୍ଜୀକରଣ କରିବା ସମ୍ଭବ ନୁହେଁ ବୋଲି କର୍ମଚାରୀ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦଲାଲ ଜଣକ ସମ୍ପୃକ୍ତ କର୍ମଚାରୀଙ୍କୁ ଠେଲାପେଲା କରିବା ସହ ଗାଳିଗୁଲଜ କରିଥିଲେ।

ଅନ୍ୟ କର୍ମଚାରୀ ଏହାର ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି। ଅଧ ଘଣ୍ଟା ଧରି ଅଫିସରେ ପାଟିତୁଣ୍ଡ କରି ଦଲାଲ ଚାଲି ଯାଇଥିଲେ। ଏ ସମ୍ପର୍କରେ ଟାଉନଥାନା ଅଧିକାରୀ ଜଗଦୀଶ ବାରାଙ୍କୁ ପଚାରିବାରୁ ଏଆରଟିଓଙ୍କ ଏତଲାକ୍ରମେ ବାବଲୁ ପତିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର