ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ଅବକାରୀ କାର୍ଯ୍ୟାଳୟର ଭାରପ୍ରାପ୍ତ ଉପନିରୀକ୍ଷକ ଅରୁଣ କୁମାର ଯୋଶୀଙ୍କୁ ମାଓବାଦୀ ନାଁରେ ହତ୍ୟା ଧମକ ମିଳିଛି। ଏନେଇ ଶ୍ରୀ ଯୋଶୀ ଗତକାଲି ରାତିରେ ନାରାୟଣପାଟଣା ଥାନାରେ ଲିଖିତ ଏତଲା ଦେଇଥିଲା ବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛି। ଅପରପକ୍ଷରେ ଆସନ୍ତା ୨ ତାରିଖ ଠାରୁ ମାଓବାଦୀ ପିଏଲଜିଏ ସପ୍ତାହ ପାଳନ କରୁଥିବା ବେଳେ ଏହାର ଦୁଇଦିନ ପୂର୍ବରୁ ଅବକାରୀ ଉପନିରୀକ୍ଷକଙ୍କୁ ମାଓବାଦୀ ନାଁରେ ଏଭଳି ହତ୍ୟା ଧମକ ମିଳିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛି। ତେବେ ପ୍ରକୃତରେ ଏହା ମାଓବାଦୀଙ୍କ କାମ ନାଁ ନକଲି ମାଓବାଦୀ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅବକାରୀ କାର୍ଯ୍ୟାଳୟର ଉପନିରୀକ୍ଷକ ଅରୁଣ କୁମାର ଯୋଶୀ ଉଭୟ ଲକ୍ଷ୍ମୀପୁର ଏବଂ ନାରାୟଣପାଟଣା ବ୍ଲକ୍ ଦାୟିତ୍ବରେ ରହିଛନ୍ତି। ତେବେ ଗତକାଲି ସନ୍ଧ୍ୟା ସମୟରେ ଶ୍ରୀ ଯୋଶୀ ନାରାୟଣପାଟଣା ବସଷ୍ଟାଣ୍ଡ ନିକଟସ୍ଥ ଅବକାରୀ କାର୍ଯ୍ୟାଳୟରେ ବସି ନିଜ ସରକାରୀ କାର୍ଯ୍ୟ କରୁଥିଲେ। ଏହି ସମୟରେ ସନ୍ଧ୍ୟା ପ୍ରାୟ ୬.୪୫ଟା ବେଳେ ଜଣେ ଅଜଣା ବ୍ୟକ୍ତି ମୁହଁରେ କଳା କପଡ଼ା ଲଗାଇ କାର୍ଯ୍ୟାଳୟରେ ପଶି ନିଜକୁ ସିପିଆଇ ମାଓବାଦୀ ବୋଲି ପରିଚୟ ଦେଇ ଶ୍ରୀ ଯୋଶୀଙ୍କୁ ହତ୍ୟା ଧମକ ଦେଇଥିଲା। ତେଲୁଗୁ ମିଶା ହିନ୍ଦୀ ଭାଷାରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେବା ସହ ତୁରନ୍ତ ଏହି ଅଞ୍ଚଳ ଛାଡ଼ି ଚାଲିଯାଅ, ନଚେତ୍ ଜୀବନରେ ମାରିଦେବୁ ବୋଲି ଚେତାବନୀ ଦେଇଥିଲା। ଏଥିସହ ତୁ ମୋ ଏରିଆକୁ ଆସି ଆମ ଆଦିବାସୀ ଲୋକଙ୍କ ଜୀବିକା ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଅଛୁ ବୋଲି କହି କୁଆଡ଼େ ଉଭାନ ହୋଇଯାଇଥିଲା। ଏପରିକି ଶ୍ରୀ ଯୋଶୀ ଲକ୍ଷ୍ମୀପୁରରେ ରହୁଥିବା ଘର ଠିକଣା ଦେଇ ସେଠାରେ ମଧ୍ୟ ନରହିବାକୁ ମୁଖା ପିନ୍ଧା ବ୍ୟକ୍ତି ଚେତାବନୀ ଦେଇଥିଲା। ପରେ ଶ୍ରୀ ଯୋଶୀ ଭୟଭୀତ ଅବସ୍ଥାରେ ବିଭାଗୀୟ ଅଧିକ୍ଷକଙ୍କୁ ଜଣାଇବା ସହ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏନେଇ ନାରାୟଣପାଟଣା ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ଏନେଇ ତଦନ୍ତ ଜାରି ରଖିଥିବା କହିଛି।

ସୂଚନା ଥାଉକି, ଅବକାରୀ ଉପନିରୀକ୍ଷକ ଶ୍ରୀ ଯୋଶୀ ଦାୟିତ୍ବରେ ରହିଲା ପର ଠାରୁ ଲକ୍ଷ୍ମୀପୁର ଏବଂ ନାରାୟଣପାଟଣା ଅବକାରୀ ଅଞ୍ଚଳର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଘନ ଘନ ଅବକାରୀ ଚଢ଼ଉ ଜାରି ରଖିଛନ୍ତି। ଗତ ୪ ମାସ ମଧ୍ୟରେ ୭ ହଜାର ୨୨୨ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୧ ଲକ୍ଷ ୨୬ ହଜାର ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି। ଏଥିସହ ମଦ କାରବାରରେ ଲିପ୍ତ ଥିବା ଗୋଟିଏ କମାଣ୍ଡର ଜିପ୍, ୪ଟି ବାଇକ୍ ଜବତ କରାଯାଇଛି। ଏସବୁର ଆନୁମାନିକ ମୂଲ୍ୟ ୭୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହାକୁ ନେଇ ମଦ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡ ନିକଟରେ ଥିବା କାର୍ଯ୍ୟାଳୟରେ ପଶି ଜଣେ ଅଜଣା ଲୋକ ଅବକାରୀ ଉପନିରୀକ୍ଷକଙ୍କୁ ହତ୍ୟା ଧମକ ଦେଇଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।