ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ରାସୋଳ ଗ୍ରାମର ଝୁମୁକିପାଟିଆ ସାହିରେ ଡବଲ ମର୍ଡର। ଗତକାଲି ବିଳମ୍ବିତ ରାତିରେ ଘର ବାରଣ୍ଡାରେ ଶୋଇଥିବା ବେଳେ ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକମାନେ ହେଲେ ସେହି ଗ୍ରାମର ବାହାଡ଼ା ମୁର୍ମୁ (୪୫) ଓ ତାଙ୍କ ପତ୍ନୀ ଧାନୀ ମୁର୍ମୁ (୩୫)। ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଗୁଣିଗାରେଡ଼ି ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ରାତିରେ ସ୍ୱାମୀସ୍ତ୍ରୀ ଖାଇ ସାରିବା ପରେ ଘର ବାରଣ୍ଡାରେ ଶୋଇଥିଲେ। ଘର ଭିତରେ ଝିଅ ସିନିଗୋ ଶୋଇଥିଲେ। ବିଳମ୍ବିତ ରାତିରେ ଖୁବ୍ଜୋରରେ ବାପାମା’ ଚିତ୍କାର କରିବାରୁ ଘର ଭିତରେ ଶୋଇଥିବା ତାଙ୍କ ଝିଅ ସିନିଗୋ ବାହାରକୁ ଆସିଥିଲେ। ବାରଣ୍ଡାରେ ବାପାମା’ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ପଡ଼ୋଶୀ ସମେତ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ। ସେମାନେ ପହଞ୍ଚିଲା ବେଳକୁ ଉଭୟଙ୍କ ମୃତ୍ୟୁ ହୋଇସାରିଥିଲା। ଆଜି ସକାଳେ ଏ ସମ୍ପର୍କରେ ଖବର ପାଇବା ପରେ ଘଟଗାଁ ଏସ୍ଡିପିଓ ସୁଶୀଲ କୁମାର ମିଶ୍ର, ହରିଚନ୍ଦନପୁର ଥାନା ଅଧିକାରୀ ଦେବକୀ ନାଏକ, ଏସ୍ଆଇ ସୁରେଶ କୁମାର ମାଝୀ, ଦୈତାରୀ ଥାନା ଏସ୍ଆଇ ମାନସ ରଂଜନ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପଠାଇଥିଲେ। ପରେ କେନ୍ଦୁଝରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ଘଟଣାସ୍ଥଳରୁ କୌଣସି ମାରଣାସ୍ତ୍ର ମିଳି ନଥିବା ପୁଲିସ କହିଛି। ଝିଅ ସିନିଗୋଙ୍କ ଅଭିଯୋଗ ପରେ ଏନେଇ ଦୈତାରୀ ଥାନାରେ ନମ୍ବର ୯୬/୨୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଦମ୍ପତିଙ୍କୁ କିଏ ଏବଂ କାହିଁକି ହତ୍ୟା କଲା ସେ ସମ୍ପର୍କରେ କିଛି ବି ସୁରାକ ମିଳିପାରି ନାହିଁ। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ ଚାଲିଥିବା ଦୈତାରୀ ଥାନା ଏସ୍ଆଇ ମାନସ ରଂଜନ ପଣ୍ଡା ସୂଚନା ଦେଇଛନ୍ତି।