କ.ନୂଆଗାଁ : ସାଙ୍ଗ ହୋଇ ମଦ ପିଇଲେ ଆଉ ମାତାଲ ହୋଇ ସାମାନ୍ୟ ବଚସାରେ ହିତାହିତ ଜ୍ଞାନ ଭୁଲିଗଲେ। ଜଣେ ସାଙ୍ଗ ଅନ୍ୟ ଜଣଙ୍କ ମୁଣ୍ଡରେ ପଥର ଛେଚି ହତ୍ୟା କରିଦେଲା। ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ୍ ସାରଙ୍ଗଗଡ଼ ଥାନା ଅଞ୍ଚଳରେ। ମୃତକ ହେଲେ ସାରଙ୍ଗଗଡ଼ ଥାନା ପୁରୁଣାସାହିର ଜିତେନ୍ଦ୍ର ପୂଜାରୀ(୪୫)। ହତ୍ୟାକାରୀ ଉକ୍ତ ସାହିର ମନୋଜ ପୂଜାରୀ ଓରଫ ଉଲୁକୁ ପୁଲିସ ଅଟକ ରଖିଛି।
ସୂଚନା ପ୍ରକାରେ, ଗତକାଲି ରାତି ପ୍ରାୟ ୧୦ ଟାରେ ଜିତେନ୍ଦ୍ର ଓ ମନୋଜ ସାଙ୍ଗ ହୋଇ ମଦ ପିଇବାକୁ ଯାଇଥିଲେ। ମଦ ନିଶାରେ ଚୁର୍ ହୋଇ ମାତ୍ର ପାଞ୍ଚ ଶହ ଟଙ୍କା ନୋଟ୍କୁ ନେଇ ଟଣାଓଟରା ହୋଇଥିଲେ। ଏତିକିବେଳେ ନୋଟ୍ଟି ଚିରି ଯିବାରୁ ଉଭୟଙ୍କ ମଧ୍ୟରେ ବଚସା ଉଗ୍ର ହୋଇଥିଲା। ହିତାହିତ ଜ୍ଞାନ ହରାଇ ମନୋଜ ଜିତେନ୍ଦ୍ରଙ୍କୁ ତଳେ ପକାଇ ତାଙ୍କ ମୁଣ୍ଡରେ ନିକଟରେ ପଡ଼ିଥିବା ଏକ ପଥର ଆଣି ଛେଚି ଦେଇଥିଲେ। ଘଟଣାସ୍ଥଳରେ ହିଁ, ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରିବା ସହ ସାରଙ୍ଗଗଡ଼ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଡାକ୍ତର ସେଠାରେ ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଘୁ.ଉଦୟଗିରି ଏସ୍ଡିପିଓ ଟି.ଡି.ଆର.ପଟ୍ଟନାୟକ, ସାରଙ୍ଗଗଡ଼ ଥାନାଧିକାରୀ ବଧୂଲିକା ବିଶ୍ଵାଳ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସାରଙ୍ଗଗଡ଼ ପୁଲିସ କେସ୍ ନମ୍ବର ୭/୨୩ ରେ ତଦନ୍ତ ଜାରି ରଖିଛି।
ସାଙ୍ଗକୁ ପଥର ଛେଚି ହତ୍ୟା କଲା ସାଙ୍ଗ
ମଦ ନିଶାରେ ପାଞ୍ଚଶହ ଟଙ୍କା ପାଇଁ ଟଣାଓଟରା
/sambad/media/post_attachments/wp-content/uploads/2023/01/31-11.jpg)