ପୂର୍ବ ଶତ୍ରୁତା: ଖାଇବାକୁ ଡାକି ଯୁବକଙ୍କୁ ହାଣିଦେଲେ, ୨ ଗିରଫ

ଲାଞ୍ଜିଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବିଜେପରୁ ଥାନା ଶ୍ୟାମସୁନ୍ଦରପୁର ଗାଁରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ଭୁବନେ ପରାଭୋଇ (୩୭ ବର୍ଷ)। ଗତ ଶନିବାର ସନ୍ଧ୍ୟାରେ ଭୁବନେଙ୍କୁ ନିଜ ପଡ଼ାର କଟି ପରାଭୋଇ ଘରକୁ ଖାଇବାକୁ ଡାକି ନେଇଥିଲେ।

ସେ ଖାଉଥିବା ସମୟରେ କଟି ଓ ସୁନ୍ଦେରା ପରାଭୋଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ପରେ ଏକ ବାଇକ୍‌ରେ ଗାଁ ଠାରୁ ୧୫ କିମି ଦୂର ଲାଞ୍ଜିଗଡ଼ କଲୋନି ପଡ଼ାକୁ ଯାଇଥିଲେ, ଯେଉଁଠାରେକି ମୃତକଙ୍କ ମା’-ଝିଅ ରହୁଥିଲେ। ହତ୍ୟା ବିଷୟରେ ମା’ ଇନ୍ଦା ପରାଭୋଇ ଓ ନାବାଳିକା ଝିଅ ମଇନା ପରାଭୋଇଙ୍କୁ ସୂଚନା ଦେଇଥିଲେ। ରବିବାର ସନ୍ଧ୍ୟାରେ ବିଜେପୁର ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଥିଲା। ସୋମବାର ବିଜେପୁର ଥାନାଧିକାରୀ ପ୍ରଶାନ୍ତ କୋଲହାରସଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ୍ୟୁର ୪୦ ଘଣ୍ଟା ପରେ ଶବ ଜବତ କରିଥିଲେ। ବିଜେପୁର ଥାନାରେ ୩୦୨ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ମୃତ ଭୁବନେ ଶ୍ୟାମସୁନ୍ଦରପୁର ଗ୍ରାମର ମୂଳ ବାସିନ୍ଦା। ଗତ ୪ମାସ ତଳେ ନିଜ ପଡ଼ାର କଟିର ବଡ଼ଭାଇ ଗଣେଶ ପରାଭୋଇଙ୍କ ସହିତ ତାଙ୍କର ଗଣ୍ଡଗୋଳ ହୋଇଥିଲା। ଗଣେଶର ଶ୍ବଶୁର ନିକଟସ୍ଥ ମଇନଗୁଡ଼ା ଗାଁର ସୁନ୍ଦେରା ପରାଭୋଇ ଓ ଗଣେଶ୍ବର ସାନଭାଇ କଟି ପରାଭୋଇ ଭୁବନେଙ୍କୁ ମାରିବା ପାଇଁ ଷଡ଼୍‌ଯନ୍ତ୍ର କରିଥିଲେ। ଖାଇବାକୁ ଡାକି ହତ୍ୟା କରିଥିଲେ। ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ସୁନ୍ଦେରା ଓ କଟିଙ୍କୁ ପୁଲିସ ଗିରଫ କରି ବିଜେପୁର ଥାନାରେ ଅଟକ ରଖିଛି। ମଙ୍ଗଳବାର କୋର୍ଟଚାଲାଣ କରାଯିବ ବୋଲି ବିଜେପୁର ଥାନା ଅଧିକାରୀ ଶ୍ରୀ କୋଲହାରସ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର