ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପେଙ୍ଗସୁର ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଘଟଣା ଚାଂଚଲ୍ୟ ଖେଳିଯାଇଛି।
ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ପେଙ୍ଗସୁର ଗ୍ରାମର ରଶ୍ମି ମାଝୀଙ୍କ ଦେହ ବାରମ୍ବାର ଅସୁସ୍ଥ ହେଉଥିଲା। ତାଙ୍କୁ ସେହି ଗ୍ରାମର ମୋତି ମାଝୀ ଗୁଣି ଗାରେଡ଼ି କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ବୁଧବାର ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ରାଜେଶ ମାଝୀ, ମହାଦେବ ଘଡ଼େଇ ଓ ଚନ୍ଦନ ଘଡ଼େଇ ଟାଙ୍ଗିଆ ଓ ଠେଙ୍ଗା ଧରି ମୋତି ମାଝୀଙ୍କୁ ମାରିବାକୁ ଘରକୁ ଯାଇଥିଲେ। ଏହି ସମୟରେ ମୋତି ମାଝୀ ଘରେ ନଥିଲେ। ଘରେ ନଥିବା ଜାଣି ମନ୍ଦିର ନିକଟରେ ବସିଥିବା ତାଙ୍କ ସାନଭାଇ ଅମର ମାଝୀ(୩୦)ଙ୍କୁ ଦେଖି ହତ୍ୟା କରିଥିଲେ। ଖବର ପାଇ ସଦର ଥାନା ଆଇଆଇସି ରଶ୍ମିତା ପ୍ରଧାନଙ୍କ ସହ ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ପରେ ପୁଲିସ୍ ଶବ ବ୍ୟବଚ୍ଛେଦ ନିମନ୍ତେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲା। ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ମହାଦେବ ମାଝୀ ଓ ଚନ୍ଦନ ଘଡେ଼ଇଙ୍କୁ ଅଟକ ରଖିଥିବା ବେଳେ ରାଜେଶ ମାଝୀ ଓ ରଶ୍ମି ମାଝୀ ଫେରାର ଥିବା ସୂଚନା ଦେଇଛି।