ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ: ସନ୍ଦେହରେ ୩ ଅଟକ

ବା‌ଲେଶ୍ବର: ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇ ରାସ୍ତାକଡ଼ ଏକ ଗ୍ୟାରେଜ୍‌ ସମ୍ମୁଖରେ ଫିଙ୍ଗି ଦିଆଯାଇଛି। ବାଲେଶ୍ବର ସହର ଶିଳ୍ପାଞ୍ଚଳ ଥାନା ଅଧୀନ ଶାଳବଣି ନିକଟରେ ଗୁରୁବାର ରାତିରେ ଏହି ଘଟଣା ଘଟିଛି। ମୃତକ ହେଲେ ନୀଳଗିରି ଥାନା ଗୁଜୁଡିହା ଗ୍ରାମର ସ୍ବର୍ଗତ ସଦାଶିବ ପଲେଇଙ୍କ ପୁଅ ଜଗଦୀଶ(୪୨)। ସେ ସହର ଉପକଣ୍ଠ ତାଙ୍କ ଶ୍ବଶୁରଘରେ ରହୁଥିଲେ। ଗୁରୁବାର ସକାଳେ ଗ୍ୟାରେଜ ସମ୍ମୁଖରେ ଜଣେ ଯୁବକର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପ୍ରଥମେ ପୁଲିସକୁ ଖବର ଦେଇଥିଲେ।

ଶିଳ୍ପାଞ୍ଚଳ ଥାନା ପୁଲିସ ଟିମ୍‌ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ସେହି ନିକଟରେ କିଛିଘରର ସିସି କ୍ୟାମେରାକୁ ଯାଞ୍ଚ୍‌ କରିବା ପରେ ବୁଧବାର ରାତି ପ୍ରାୟ ୧୦ଟା ବେଳେ ୮/୧୦ ଯୁବକ ସମ୍ପୃକ୍ତ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ପରେ ଯୁବକ ଜଣଙ୍କୁ ସେହି ଗ୍ୟା‌ରେଜ ଆଗରେ ପକାଇ ସେମାନେ ଫେରାର ହୋଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଖବରପାଇ ଯୁବକଙ୍କ ମା’ ଶିଳ୍ପାଞ୍ଚଳ ଥାନାରେ ତାଙ୍କ ପୁଅକୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ଏକ ଏତଲା ଦେଇଛନ୍ତି।

ଘଟଣା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କୁ ପ୍ରଥମେ ଫୋନ୍‌ କରି ଲକ୍ଷେ ଟଙ୍କା ମାଗିଥିଲେ। ତାହା ସେମାନେ ଦେବାପାଇଁ ମନା କରିବାରୁ ହତ୍ୟା କରାଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ଏହାକୁ ଆଧାର କରି ପୁଲିସ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି।  ତେବେ ରାଜପଥ ପାର୍ଶ୍ବରେ ନିରନ୍ତର ଯାନବାହନ ଚଳାଚଳ ଏବଂ ପୁଲିସର ନାଇଟ୍‌ ପାଟ୍ରୋଲିଂ ଜାରି ରହିଥିବା ବେଳେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିବା ବାଲେଶ୍ବର ସହରର ଆଇନ ଶୃଙ୍ଖଳା  ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର