ଶିକ୍ଷକଙ୍କୁ ନିର୍ମମ ହତ୍ୟା

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଢେଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମରୈଗାଁସ୍ଥିତ ଭଡ଼ାଘରୁ ତାଙ୍କ ରକ୍ତାକ୍ତ ଶବ ଉଦ୍ଧାର କରାଯାଇଛି। ସନ୍ଧ୍ୟା ହୋଇଯିବାରୁ ଶବ ଜବତ ହୋଇପାରିନି। ଆସନ୍ତାକାଲି ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ କହିଛି। କେଉଁ କାରଣରୁ ଓ କିଏ ତାଙ୍କୁ ହତ୍ୟା କରିଛି ସେନେଇ କୌଣସି ସୂଚନା ମିଳିପାରିନି।

ଇଞ୍ଚୋଳ ଗ୍ରାମର ଅନିରୁଦ୍ଧ ସ୍ୱାଇଁ ଢେଙ୍କା ହାଇସ୍କୁଲରେ ଶିକ୍ଷକତା କରୁଛନ୍ତି। ସେ ଢେଙ୍କା ଓ ସଢ଼ା ଗ୍ରାମର ଦୁଇଟି ସ୍ଥାନରେ ପିଲାଙ୍କୁ ଟିଉସନ୍‌ କରୁଛନ୍ତି। ମରୈଗାଁ ଛକରେ ଘରଭଡ଼ା ନେଇ ରହୁଥିବା ବେଳେ ତାଙ୍କ ପତ୍ନୀ ଓ ଝିଅ ଶ୍ୱଶୁରଘରେ ରହୁଛନ୍ତି। ଗତକାଲି ରାତିରେ ସେ ଘରେ ଥିଲେ। ଆଜି ଶିଶୁଦିବସ ପାଇଁ ସ୍କୁଲକୁ  ମିଠା ନେଇଯିବାର ଥିଲା। ଶିକ୍ଷକମାନେ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନଥିଲେ। ଏପରିକି ତାଙ୍କ ଘରକୁ ଆସି ଦେଖିଲା ବେଳକୁ ବାହାରୁ ତାଲା ପଡ଼ିଥିବାରୁ ଶ୍ରୀ ସ୍ୱାଇଁ କେଉଁଆଡ଼େ ଯାଇଥିବେ ବୋଲି ଅନୁମାନ କରିଥିଲେ। କିଛିଲୋକଙ୍କ ସନ୍ଦେହ ହେବାରୁ ସେମାନେ ସ୍କାଏଲାଇଟ ବାଟେ ଦେଖିଥିଲେ। ଘର ଭିତରେ ତାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିଲା। ଏନେଇ ସେମାନେ ପୁଲିସକୁ ସୂଚନା ଦେଇଥିଲେ।

ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ ବେହେରା ଏବଂ ମାଜିଷ୍ଟ୍ରେଟ୍‌ ରଶ୍ମିରଞ୍ଜନ ସ୍ୱାଇଁଙ୍କ ଉପସ୍ଥିତିରେ ଘରର ତାଲା ଭଙ୍ଗା ଯାଇଥିଲା। ଘର ଭିତର ଖଟ ଉପରେ ରକ୍ତାକ୍ତ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଘରର ଆସବାବପତ୍ର ଏଣେତେଣେ ପଡ଼ିଥିଲା। ଶ୍ରୀ ସ୍ବାଇଁଙ୍କ ମୁଣ୍ଡକୁ କୌଣସି ଧାରୁଆ ଅସ୍ତ୍ରରେ ହଣା ଯାଇଥିବା ଅନୁମାନ କରାଯାଉଛି। ସନ୍ଧ୍ୟା ହୋଇଯିବାରୁ ସାଇଣ୍ଟଫିକ୍‌ ଟିମ୍‌ ପହଞ୍ଚି ପାରିନାହିଁ। ଅନ୍ୟପକ୍ଷରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ଦୁଇଟା ବେଳେ ଶ୍ରୀ ସ୍ବାଇଁଙ୍କ ଘର ଭିତରୁ ମରିଗଲି ମରିଗଲି ବୋଲି ଚିତ୍କାର ଶୁଭୁଥିଲା। ସେ ଦୌଡ଼ିଯାଇ ପଚାରିବାରୁ ‘ନା କିଛି ହୋଇନି ସାପଟେ ପଶିଯାଇଛି’ ବୋଲି କେହି ଜଣେ ଘର ଭିତରୁ କହିଥିଲା। କିଛି ସମୟ ପରେ ଜଣେ ଯୁବକ ମୁଣ୍ଡରେ ହେଲମେଟ୍‌ ଲଗାଇ ଘର ବାହାରପଟୁ ତାଲା ପକାଇ ସ୍କୁଟିରେ ପଳାଇଥିଲେ। ତେବେ ସମ୍ପୃକ୍ତ ଯୁବକ ଶ୍ରୀ ସ୍ବାଇଁ ହୋଇଥିବା ଅନୁମାନ କରି ପ୍ରତ୍ୟକ୍ଷଦର୍ଶୀ ଜଣଙ୍କ ଆଉ କିଛି ପଚାରି ନଥିଲେ। ଅନ୍ୟପକ୍ଷରେ ପଡ଼ୋଶୀଙ୍କ କହିବା କଥା ହେଲେ ଘରେ ଶ୍ରୀ ସ୍ୱାଇଁ ଏକୁଟିଆ ରହୁଥିଲେ। ବେଳେବେଳେ ଜଣେ ମହିଳା ଆସି ତାଙ୍କ ପାଖରେ ରହୁଥିଲେ। ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର