କପଡ଼ା ଚିରାକୁ ନେଇ ଟେଣ୍ଟ ମାଲିକଙ୍କୁ ହତ୍ୟା

ହାଣିବା ପରେ ଗାଡ଼ି ଚଢ଼ାଇ ଦେଲେ, ପ୍ରତିବାଦରେ ୮ ଘଣ୍ଟା ରାସ୍ତାରୋକ

ଗୋପ: ଡିଜେ ଗାଡ଼ିରେ ଲାଗି ଚିରିଗଲା ଟେଣ୍ଟ୍‌ କପଡ଼ା। ଏହାକୁ ନେଇ ଟେଣ୍ଟ୍‌ ମାଲିକ ଓ ‌ଡିଜେ ସାଉଣ୍ତ୍‌ର କର୍ମଚାରୀଙ୍କ ମଧ୍ୟରେ ସାମାନ୍ୟ ପାଟତୁଣ୍ଡ ହେଲା। ପରେ ପରେ ଡିଜେ ସାଉଣ୍ଡ୍‌ର କର୍ମଚାରୀମାନେ ଟେଣ୍ଡମାଲିକଙ୍କୁ ଭୁଜାଲିରେ ହାଣି ହତ୍ୟା କରିବା ପରେ ଗାଡ଼ି ଚଢ଼ାଇଦେବା ଭଳି ଏକ ଲୋମହର୍ଷଣକାରୀ ଘଟଣାରେ ସମଗ୍ର ଗୋପ ଅଞ୍ଚଳ ଆଜି ସ୍ତବ୍ଧ ହୋଇଯାଇଛି।

ଏହାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ ଗୋପ–କୋଣାର୍କ ରାସ୍ତାକୁ ପ୍ରାୟ ୮ ଘଣ୍ଟା ଧରି ଅବରୋଧ କରିଥିଲେ। ଅତିରିକ୍ତ ଏସ୍‌ପି ପୂର୍ଣଚନ୍ଦ୍ର ବଡ଼ଜେନା, ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ର, ଗୋପ ଥାନାଧିକାରୀ କାଳିନ୍ଦୀ ବେହେରା, କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ପ୍ରମୁଖ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ୨୪ ଘଣ୍ଟା ଭିତରେ ଡିଜେ ମାଲିକ ଓ କର୍ମଚାରୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ରାତି ସାଢ଼େ ୧୧ଟା ସମୟରେ ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗ୍ରାମର ରାମଚନ୍ଦ୍ର ସାହୁଙ୍କ ଝିଅ ବାହାଘର ନିମନ୍ତେ ବରଯାତ୍ରୀମାନେ ଡିଜେ ସାଉଣ୍ତ ବଜାଇ ଯାଉଥିଲେ। ବାଲିକନ୍ଦଳ ରାସ୍ତା ଦେଇ ବରଯାତ୍ରୀ ଯିବା ସମୟରେ ଚକ୍ରଧର ମୁଦୁଲିଙ୍କ ପୁଅ ବାହାଘର ପାଇଁ ବନ୍ଧାଯାଇଥିବା ଟେଣ୍ଟରେ ଲାଗି କପଡ଼ା ଚିରିଯାଇଥିଲା। ଏହାକୁ ନେଇ ଟେଣ୍ଟ ମାଲିକ ପପୁ ପ୍ରଧାନଙ୍କର ଡିଜେ ମାଲିକ, କର୍ମଚାରୀଙ୍କ ସହିତ ବଚସା ହୋଇଥିଲା। ପରେ ଡିଜେର କର୍ମଚାରୀ ଓ ଡ୍ରାଇଭର ଆସି ସମାଧାନ କରିବା ଆଳରେ ଟେଣ୍ଟ ମାଲିକ ପପୁଙ୍କୁ ଡାକି ଅନ୍ୟତ୍ର ଆଲୋଚନା କରିବା ସମୟରେ ଭୂଜାଲିରେ ମୁଣ୍ତକୁ ହାଣିଦେଇଥିଲେ। ସେ ପଡ଼ିଯିବା ପରେ ତାଙ୍କ ଉପରେ ଗାଡି ଚଢ଼ାଇ ଦେଇଥିବା ନେଇ ଟେଣ୍ଟ ମାଲିକଙ୍କ ବାପା ଏରବଙ୍ଗ ଗ୍ରାମର ବୁଲା ପ୍ରଧାନ ଅଭିଯୋଗ କରିଛନ୍ତି।

ଏହି ଘଟଣା ଜଣାପଡ଼ିବା ପରେ ବାଲିକନ୍ଦଳ ଗ୍ରାମର ଲୋକେ ପୁଲିସକୁ ଖବର ଦେବା ପରେ ଗୋପ ଥାନାଧିକାରୀ କାଳିନ୍ଦୀ ବେହେରାଙ୍କ ସମେତ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପପୁଙ୍କୁ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପପୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସକାଳ ହେବା ମାତ୍ରେ ହଜାର ହଜାର ଲୋକ ମୃତକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗୋପ–କୋଣାର୍କ ରାସ୍ତାକୁ ଅବରୋଧ କରିବା ସହିତ ତୁରନ୍ତ ଦୋଷୀମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଦିନ ଦୁଇଟା ବେଳକୁ ପୁଲିସ ସମସ୍ତଙ୍କୁ ବୁଝାଶୁଝା କରିବା ସହିତ ଗୋପ ଅତିରକ୍ତ ତହସିଲଦାର ଶରତ କୁମାର ପରିଡ଼ା ରେଡକ୍ରସ୍‌ ତରଫରୁ ଦଶ ହଜାର ଟଙ୍କା ମୃତକଙ୍କ ପରିବାରକୁ ଦେଇଥିଲେ। ପରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୁଲିସ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଅନ୍ୟପକ୍ଷରେ ଗୋପ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିବା ବେଳେ ଅତିରିକ୍ତ ଏସ୍‌ପି ଶ୍ରୀ ବଡ଼ଜେନାଙ୍କ ନିର୍ଦ୍ଦେଶରେ ନିମାପଡ଼ାର ଏକ ପାନ ବରଜରୁ ଅପରାଧରେ ବ୍ୟବହୃତ ଡିଜେ ଗାଡିକୁ ଜବତ କରାଯାଇଥିବା ଥାନାଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର