ଟ୍ରକ୍‌ ଚଢ଼ାଇ ସଂପର୍କୀୟ ଭାଇଙ୍କୁ ହତ୍ୟା

କବାଟବନ୍ଧ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଜ ବଡ଼ବାପା ପୁଅ ଭାଇକୁ ଟ୍ରକ୍ ମଡ଼ାଇ ହତ୍ୟାକରିଛି ସାନଭାଇ। ଅଭିଯୁକ୍ତ ସାନଭାଇକୁ ଜେନାପୁର ପୁଲିସ ଗିରଫ କରିଛି।

ପୁଲିସ ସୂଚନା ମୁତାବକ ଧର୍ମଶାଳା ବ୍ଲକ୍‌ ଜେନାପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ରଥ ମଲିକଙ୍କ ପୁଅ ଅକ୍ଷୟ ମଲିକ (୪୨)ଙ୍କ ସହ ତାଙ୍କ ଦାଦାପୁଅ ଭାଇ ଚୈତନ୍ୟ ମଲିକଙ୍କ ପୁଅ ସୁଶାନ୍ତ ଓରଫ ଅଜୟ (୩୦) ଙ୍କର ଘରବାଡ଼ି ପାଇଁ ବିବାଦ ଲାଗି ରହିଥିଲା। ୩ ଦିନ ତଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସୋମବାର ରାତି ପ୍ରାୟ ୧୧ଟା ସମୟରେ ସୁଶାନ୍ତ ପ୍ରଚୁର ମଦ୍ୟପାନ କରି ଚଳାଉଥିବା ଟ୍ରକ୍ (ଓଆର୦୯ ଏଚ୍ ୮୩୬୦)କୁ ଆଣି ଘରକୁ ଆସିଥିଲା। ଅକ୍ଷୟ ନିଜ ଘର ଆଗରେ ଠିଆ ହୋଇଥିବାର ଦେଖି ସୁଶାନ୍ତ ସେଠାକୁ ଯାଇ ତାଙ୍କ ସହିତ ଝଗଡ଼ା କରିଥିଲା। ଉଭୟଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହେବାପରେ ସୁଶାନ୍ତ ଗାଡ଼ି ଚଢ଼ାଇ ମାରିଦେବାକୁ ଅକ୍ଷୟଙ୍କୁ ଧମକ ଦେଇଥିଲା। ଏହାପରେ ଗାଡ଼ି ଷ୍ଟାର୍ଟ କରି ଅକ୍ଷୟଙ୍କ ଆଡ଼କୁ ମାଡ଼ି ଆସିଥିଲା। ଅକ୍ଷୟ ପ୍ରାଣ ବିକଳରେ ସେଠାରେ ଥିବା ଏକ ଗଛ ଆଡ଼କୁ ଦୌଡ଼ି ପଳାଇଯାଉଥିବା ବେଳେ ସୁଶାନ୍ତ ତାଙ୍କ ଉପରେ ଟ୍ରକ୍ ଚଢ଼ାଇ ଫେରାର ହୋଇଯାଇଥିଲା।

ଅକ୍ଷୟଙ୍କ ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଧର୍ମଶାଳା ମେଡିକାଲ ପଠାଇଥିଲେ। ହେଲେ, ସେଠାରେ ଡାକ୍ତର ଅକ୍ଷୟଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଅକ୍ଷୟଙ୍କ ବାପା ରଥ ମଲିକ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ ନମ୍ବର ୬୬/୨୨ରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରିଛି।

ସମ୍ବନ୍ଧିତ ଖବର